ପୁରୀ ଗୌରବିହାର ଆଶ୍ରମରେ ପାଳିତ ହେଲା ବ୍ଯଞ୍ଜନ ଦ୍ବାଦଶୀ

ପୁରୀ: ଆଜି ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ । ଆଜି ମାଆ ଯଶୋଦା ପୁଅ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବା କିମ୍ବଦନ୍ତୀ ରହିଛି । ଏହାକୁ ଆଧାର କରି ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଛି । ରାଧାକୃଷ୍ଣଙ୍କ ନିକଟରେ ପ୍ରାୟ ୮୫୧ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ ଲଗାଯାଇଥିବା ବେଳେ ଏହି ପ୍ରାସାଦକୁ ସାଧୁସନ୍ଥ ଓ ଭକ୍ତ ମାନଙ୍କ ମଧ୍ୟରେ ବଣ୍ଟନ କରଯାଇଛି

୮୫୧ ପ୍ରକାର ବ୍ଯଞ୍ଜନରେ ମହକିଲା ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନ । ପୁରୀ ଗୌରବିହାର ଆଶ୍ରମରେ ଶ୍ରୀକୃଷ୍ଣଙ୍କୁ କରାଗଲା ଅର୍ପଣ । ବିଭିନ୍ନ ପିଠା ମିଠା, ଅନ୍ନ, ଶାଗ ମୁଗ, ରସା, ପାମ୍ପଡ, ରାଇତା, ଚଟଣୀ, କ୍ଷୀରି ଲାଗି ପରେ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କୁ ବଣ୍ଟନ କରାଯାଇଛି । ପୁରୀ ବେଳାଭୂମି ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଗୌଡିୟ ସମ୍ପ୍ରଦାୟର ଆଶ୍ରମ ଗୌର ବିହାର ଆଶ୍ରମ ବା ମାତା ମଠରେ ପାଳିତ ହୋଇଛି ବ୍ଯଞ୍ଜନ ଦ୍ବାଦଶୀ । ମାର୍ଗଶୀର ଶୁକ୍ଲ ଦ୍ଵାଦଶୀରେ ଏହି ସ୍ବାଦିଷ୍ଟ ବ୍ଯଞ୍ଜନ ପାଇଁ ଶ୍ରଦ୍ଧାଲୁଙ୍କ ଭିଡ଼ ଲାଗିଥିଲା । ଏଥିପାଇଁ ପୂର୍ବଦିନ ଠାରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ୫୦ରୁ ଉର୍ଦ୍ଧ୍ବ ମହିଳା ପ୍ରସାଦ ପ୍ରସ୍ତୁତି କରିଥିଲେ । ଚଳିତ ବର୍ଷ ୮୫୧ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ସ୍ୱତନ୍ତ୍ର ଖଲିପତ୍ରରେ ପରସା ଯାଇଥିଲା ।

ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମାଆ ଯଶୋଦା । ସେଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଖୁଆଇଥିଲେ । ସେହି ବାତ୍ସଲ୍ୟ ମମତାର ସ୍ମୃତିରେ ପ୍ରତିବର୍ଷ ପାଳନ ହେଉଛି ବ୍ଯଞ୍ଜନ ଦ୍ବାଦଶୀ । ଏହି ଦ୍ବାଦଶୀର ଅନ୍ଯ କଥା ବି ରହିଛି । ଗୋଚାରଣ ବେଳେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିଥିଲା । ଯାହାକୁ ଦିବ୍ୟ ଚକ୍ଷୁରେ ଦେଖି ରାଧାରାଣୀ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ କରିଥିଲେ ନାନାଦି ବ୍ୟଞ୍ଜନ । ଗୌରବିହାର ଆଶ୍ରମ ରେ ସାମିଲ ହୋଇ ବ୍ଯଞ୍ଜନର ସ୍ବାଦ ନେବା ସହ ନିଜକୁ ଧନ୍ୟ ମନେ କରିଛନ୍ତି ଶ୍ରଦ୍ଧାଳୁ ।

ହିନ୍ଦୁ ଶାସ୍ତ୍ରରେ ଏହି ବ୍ୟଞ୍ଜନ ଦ୍ଵାଦଶୀର ସ୍ୱତନ୍ତ୍ର ମହିମା ରହିଥିବା ହେତୁ ଏହାକୁ ଅଖଣ୍ଡ ଦ୍ୱାଦଶୀ ମଧ୍ୟ କୁହାଯାଏ । ଏହିଦିନ ଆରମ୍ଭ ହେଉଥିବା କାର୍ଯ୍ୟ ନିଶ୍ଚିତ ଫଳପ୍ରଦ ହୁଏ ବୋଲି ବିଶ୍ବାସ ରହିଛି ।