ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୮ଟି ଗେଟ୍ ଦେଇ ଛଡାଯାଉଛି ବନ୍ୟାଜଳ

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିବାରେ ଲାଗିଛି । ଜଳସ୍ତର ବଢୁଥିବାରୁ ଖୋଲାଗଲା ହୀରାକୁଦର ଆଉ ୩ଟି ଗେଟ୍ । ଫଳରେ ମୋଟ ୮ଟି ଗେଟ୍ ଦେଇ ଛଡାଯାଉଛି ବନ୍ୟାଜଳ । ବାମପଟର ୬ଟି ଓ ଡାହଣ ପଟର ୨ଟି ସ୍ଲୁଇସ୍ ଗେଟ୍ ଓ ବିଭିନ୍ନ କେନାଲ ଦେଇ ବନ୍ୟାଜଳ ଛଡ଼ାଯାଉଛି ।

ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯ ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୮ ଟି ଗେଟ ଦେଇ ୧ ଲକ୍ଷ ୬୨ ହଜାର ୭୩୮ ଘନଫୁଟ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ଡ୍ୟାମର ଜଳସ୍ତର ୬୧୪.୪୩ ଫୁଟରେ ପହଞ୍ଚିଛି । ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପରେ ତଳିଆ ଅଞ୍ଚଳର ଲୋକଙ୍କ ସତର୍କ କରାଯାଇଛି ।