ଟାବଲେଟରୁ ତଥ୍ୟ ଦେଲେ ନିର୍ମଳା, ମହାଭାରତରୁ ବଜେଟ୍ ଭାଷଣ
ନୂଆଦିଲ୍ଲୀ: ସଂସଦରେ ଚତୁର୍ଥ ଥର ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ୬୨ ବର୍ଷର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ଏହା ଭାରତୀୟ ବଜେଟରେ ଦ୍ୱିତୀୟ ଥର ପାଇଁ ଥିଲା ପେପର ଲେସ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ପ୍ରଥମ ଥର ପାଇଁ ୨୦୨୧ ମସିହାରେ ପ୍ରଥମ ଡିଜିଟାଲ ବଜେଟ ଉପସ୍ଥାପନୀ କରିଥିବାବେଳେ ଏହା ଥିଲା ଦ୍ୱିତୀୟ ପେପରଲେସ ବଜେଟ । ସଂସଦରେ ବାଚସ୍ପତି ଓମ ବିର୍ଲା ଅନୁମତି ଦେବା ପରେ ନିଜ ଆସନରେ ଠିଆ ହୋଇଥିଲେ ନିର୍ମଳା ସିତାରମଣ । ମାଇକ ପାଖରେ ରଖିଥିଲେ ଏକ ଟାବଲେଟ । ଏବଂ ଉକ୍ତ ଟାବଲେଟ ଜରିଆରେ ୯୦ ମିନିଟର ଅଭିଭାଷଣ ପ୍ରଦାନ କରିଥିଲେ ଅର୍ଥମନ୍ତ୍ରୀ ।
ମହର୍ଷି ବ୍ୟାସଦେବଙ୍କ ରଚିତ ମହାଭାରତ ଗ୍ରନ୍ଥରୁ ନିର୍ମଳାଙ୍କ ଭାଷଣ ଆରମ୍ଭ ହୋଇଥିଲା । ଶାନ୍ତି ପର୍ବର ଶ୍ଲୋକ ଗାନ କରିଥିଲେ ନିର୍ମଳା । ଶାନ୍ତି ଅଧ୍ୟାୟ ୭୨ର ୧୧ତମ ଶ୍ଲୋକକୁ ଗାନ କରିଥିଲେ । ଏବଂ କହିଥିଲେ ଦେଶର ରାଜା ପ୍ରଜାଙ୍କୁ ଯୋଗ୍ୟ କରିବା ପାଇଁ ଅର୍ଥାତ ପ୍ରଜାର କଲ୍ୟାଣ ପାଇଁ ପ୍ରୟାସ କରିବା ଏକାନ୍ତ ଆବଶ୍ୟକ । ପରେ ବଜେଟ ଅଭିଭାଷଣ ରଖିଥିଲେ । ପ୍ରଥମରୁ ବାଚସ୍ପତି ଓମ ବିର୍ଲା ଅର୍ଥମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । କହିଥିଲେ ଦ୍ୱିତୀୟ ଥର ପାଇଁ ନିର୍ମଳା ସିତାରମଣ ସଂସଦରେ ପେପରଲେସ୍ ବଜେଟ ଉପସ୍ଥାପନା କରୁଛନ୍ତି । ଆପଣ ଡିଜିଟାଲ ବଜେଟ ପଢୁଛନ୍ତି । ଏହା ଶୁଣି ସଂସଦରେ ଉପସ୍ଥିତ ସଦସ୍ୟ ନିର୍ମଳାଙ୍କୁ ପ୍ରୋତ୍ସାହିତ କରି ତାଳି ମାରିଥିଲେ ।