ପଦାରେ ପଡ଼ିଲା କୋଟିଆ ପ୍ରସଙ୍ଗରେ ମୋହନ ସରକାରଙ୍କ ଆନ୍ତରିକତା

ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ଓଡ଼ିଶାର ବିଜେପି ସରକାରଙ୍କ ଆନ୍ତରିକତା କେତେ ତାହା ପଦାରେ ପଡିଛି । ଗୋଟିଏ ପଟେ ଡବଲ ଇଞ୍ଜିନ ସରକାରର କଥା କହୁଥିବା ବିଜେପି ଆନ୍ଧ୍ରର ମନମାନି ସତ୍ତ୍ୱେ ମଧ୍ୟ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ପାଟି ଫିଟାଉ ନାହାଁନ୍ତି । ସେପଟେ ଆଇନଗତ ଲଢେଇରେ ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ବେଳେ ଓଡ଼ିଶାର କେହି ବି ଉପସ୍ଥିତ ନ ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ଯକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉତ୍କଳ ସମ୍ମିଳନୀ ସମେତ ଅନ୍ୟାନ୍ୟ ଜନ ସଂଗଠନ ।

କୋଟିଆ ଦଖଲ ପାଇଁ ଆନ୍ଧ୍ର ନିଜର ସବୁ ଶକ୍ତି ଲଗାଇ ଦେଇଛି । ବିଭିନ୍ନ ମାଧ୍ୟମରେ ଚକ୍ରାନ୍ତ କରି କୋଟିଆ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲଗାତର ଉଦ୍ୟମ ଜାରି ରଖିଛି । ଓଡିଶାର ବିଜେପି ସରକାର କିନ୍ତୁ ଏ ନେଇ ଆଦୌ ଚିନ୍ତିତ ନ ଥିବା ଦେଖିବାକୁ ମିଳୁଛି । କୋଟିଆ ମାମଲାରେ ସୁପ୍ରିମକୋର୍ଟରେ ଓଡିଶା ସରକାରଙ୍କ ଅରିଜିନାଲ ସୁଟ ସଂଶୋଧନ ଆବେଦନ ଉପରେ ଶୁଣାଣି ସମୟରେ ଖୋଦ ଓଡିଶା ପକ୍ଷରୁ କୌଣସି ପ୍ରତିନିଧି ଉପସ୍ଥିତ ନଥିଲେ । ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସରକାରଙ୍କର ଏହା ଏକ ବଡ଼ ଭୁଲ ବୋଲି କହିଛି ଉତ୍କଳ ସମ୍ମିଳନୀ । ଓଡିଶାର ତତ୍କାଳୀନ ସରକାର ୨୦୨୩ ରେ ସମ୍ବିଧାନର ୧୩୧ ଧାରା ଉଚ୍ଛେଦ ପାଇଁ ଆବେଦନ କରିଥିଲେ । ତେଣୁ ଏହି ଉଦ୍ୟମ ବେଳେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଭାବେ କେହି ଉପସ୍ଥିତ ହେବା ନିହାତି ଆବଶ୍ୟକ ବୋଲି କହିଛି ଉତ୍କଳ ସମ୍ମିଳନୀ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି ଉତ୍କଳ ସମ୍ମିଳନୀ । କୋଟିଆ ଶୁଣାଣି ବେଳେ ଓଡ଼ିଶାର ପ୍ରତିନିଧି ଉପସ୍ଥିତ ନ ରହିବାକୁ ଦୁର୍ଭାଗ୍ୟଜନକ ବୋଲି କହିଛି ଓଡ଼ିଆ ଅସ୍ମିତା ପରିଷଦ । ଆମ ଶରୀରରୁ ହାତ କାଟିଦେବା ଯାହା ଆନ୍ଧ୍ର ହାତକୁ କୋଟିଆକୁ ଟେକି ଦେବା ସେୟା ବୋଲି କହିଛି ପରିଷଦ ।

ଆଇନଗତ ଲଢେଇ ବେଳେ ଓକିଲ ରହୁ ନାହାଁନ୍ତି । ଏହାଦ୍ବାରା ମୋହନ ସରକାର କୋଟିଆ ପ୍ରସଙ୍ଗରେ କେତେ ଯତ୍ନବାନ ତାହା ଜଣାପଡିଯାଇଛି ବୋଲି କହିଛି ଓଡିଶା ବିକାଶ ପରିଷଦ । ବିଜେପି ସରକାର ଯେତିକି ତତ୍ପର ହେବା କଥା ତାହା ନହୋଇ କେବଳ ଉପର ଠାଉରିଆ ମନ୍ତବ୍ୟ ଦେବାରେ ବ୍ୟସ୍ତ । ତୁରନ୍ତ ଏ ପ୍ରସଙ୍ଗରେ ଧ୍ୟାନ ନ ଦେଲେ ଓଡ଼ିଶାବାସୀ କ୍ଷମା ଦେବେନି ବୋଲି ଚେତାଇ ଦେଇଛି ପରିଷଦ । ଏହାକୁ ରାଜ୍ଯ ସରକାର ଅଣଦେଖା ନ କରିବାକୁ ଦାବି କରିଛି । ସେପଟେ ଆଇନଜୀବୀଙ୍କ କହିବା କଥା ଏଭଳି ସମ୍ବେଦନଶୀଳ ଘଟଣାର ଶୁଣାଣି ବେଳେ ଆଇନଜୀବୀ ଉପସ୍ଥିତ ନ ରହିଲେ ବି କୌଣସି ପ୍ରତିନିଧି ଉପସ୍ଥିତ ରହିବା କଥା । ରାଜ୍ୟ ସରକାର କୌଣସି ଆବଶ୍ୟକ ଦସ୍ତାବିଜ ଦେଇ ନଥିବେ । ସେଥିପାଇଁ ଅସୁବିଧା ହୋଇଥାଇ ପାରେ ।

କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ କାର୍ଡ ଦିଆଯିବା ସହ ନିର୍ବାଚନ କରାଯିବା ଓ ଅନ୍ୟାନ୍ୟ ମନଇଚ୍ଛା ନିର୍ମାଣ କରାଯାଉଛି । ତେଣୁ ଏଭଳି ସ୍ଥିତିରେ ରାଜ୍ୟର ବିଜେପି ସରକାର ଏସବୁକୁ ଅଣଦେଖା କରିବା କୋଟିଆକୁ ସଂକଟରେ ପକାଇଥିବା ଚର୍ଚ୍ଚା ହେଉଛି ।