spot_img

Latest Posts

ଆତ୍ମସନ୍ତୋଷ ଭରିଦେବ ପରିକ୍ରମା ମାର୍ଗ: ମନ ମୋହିବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’

ଆହୁରି ସୁନ୍ଦର ଦିଶିବ ଶ୍ରୀକ୍ଷେତ୍ର । ପୁରୀରେ ନିଆରା ଅନୁଭୂତି ସାଉଁଟିବେ ଭକ୍ତ । ଦେଶ ଭିତରର ହେଉ ଅବା ବିଦେଶର, ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଜଗା ଦର୍ଶନ ହେବ ଆହୁରି ସହଜ । ଅଭିଭୂତ ହେବେ ଭକ୍ତ, ଭବ୍ୟ ଦିଶିବ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱ । ଏ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଚଳିତ ବର୍ଷ ୨୪ ନଭେମ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହ ଦେବ ।

ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଅନୁଯାୟୀ ନୂଆ ରୂପ ପାଇବ ଶ୍ରୀମନ୍ଦିର ଚୌହଦୀ । ପୂର୍ବ ପାର୍ଶ୍ୱ (ସିଂହଦାର ପାର୍ଶ୍ୱ) ବାଦ ଦେଇ ବାକି ତିନି ପାର୍ଶ୍ୱେର ଏମିତି ସୌନ୍ଦର୍ଯ୍ୟକରଣ କରାଯିବ, ଦେଖିଲେ ଆତ୍ମ ସନ୍ତୋଷଭରା ଅନୁଭୂତି ମିଳିବ । ୭୫ ମିଟର ମଧ୍ୟରୁ ମେଘନାଦ ପାଚେରିରୁ ୬୦ ମିଟର ପର୍ଯ୍ୟନ୍ତ ନିର୍ମାଣ ହେବ ପରିକ୍ରମା । ଗାଡ଼ିମୋଟର ଚଳାଚଳ ପାଇଁ ୧୫ ମିଟର ରାସ୍ତା ଛଡ଼ାଯିବ । ବିଶ୍ୱ ଦରବାରରେ ଶ୍ରୀମନ୍ଦିର ଆହୁରି ଆକର୍ଷଣୀୟ ହୋଇ ଝଲସିବ ।

ପରିକ୍ରମା କେବଳ ଚଲାପଥ ପାଇଁ ବ୍ୟବହାର ହେବ । ଭକ୍ତମାନେ ଏହି ପରିକ୍ରମା ଦେଇ ଶ୍ରୀମନ୍ଦିରର ମେଘନାଦ ପାଚେରି କଡ଼େ କଡ଼େ ବୁଲିବେ । ସମସ୍ତ ଦ୍ୱାରରେ ଦାନ ଓ ସୂଚନା କେନ୍ଦ୍ର ରହିବ । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଏଟିଏମ୍, ପାନୀୟ ଜଳ ସୁବିଧା ରହିବ । ଶ୍ରଦ୍ଧାଳୁଙ୍କ ପାଇଁ ରହଣୀସ୍ଥଳ ସହ ଅଭ୍ୟର୍ଥନା ପ୍ରକୋଷ୍ଠ ରହିବ ।

କେବେଳ ଶ୍ରୀମନ୍ଦିର କାହିଁକି ରାଜ୍ୟର ଆନ୍ୟ ମନ୍ଦିରଗୁଡ଼ିକର ସୌନ୍ଦର୍ଯ୍ୟକରଣ ନେଇ ମଧ୍ୟ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ର ପରେ ସଜେଇ ହେଉଛି ବିରଜା କ୍ଷେତ୍ର । ଦୋଳ ମଣ୍ଡପ, ମୁକ୍ତି ମଣ୍ଡପ, ଭୋଗ ଦୋକାନ, ପ୍ରଶାସନିକ ଦପ୍ତର, ୫୪ ଓ ୪୨ ମହାଦେବଙ୍କ ମନ୍ଦିର ନିର୍ମାଣ ସହ ଅତ୍ୟାଧୁନିକ ଶୈଳୀରେ ନିର୍ମିତ ହେଉଛି ଆନନ୍ଦ ବଜାର । ମନ୍ଦିର ଭିତରେ ଥିବ ମ୍ୟୁଜିୟମ୍ ବାହାରକୁ ସ୍ଥାନାନ୍ତରିତ ହେବ । ମାଆ ବିରଜାଙ୍କ ପାଖରେ ବିବାହ ଉତ୍ସବ ପାଇଁ ମଣ୍ଡପ ନିର୍ମାଣ ହେବ । ଏଥିପାଇଁ ଡିପିଆର ବା ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ଦେବା ସହ ଡେମୋ କରାଯାଇ ଟେଣ୍ଡର ପକ୍ରିୟା ସରିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାଢେ ୬ କୋଟି ଟଙ୍କା ବ୍ୟୟ ବରାଦରେ ଆରମ୍ଭ ହୋଇଛି ଉନ୍ନୟନମୂଳକ କାମ ।

ସେହିଭଳି ମା’ ସମଲେଶ୍ୱରୀଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଆଗେଇଛି । ଏଥିସହିତ ଗତ ନୂଆଁଖାଇ ଅବସରରେ ସମ୍ବଲପୁରର ପ୍ରତିଷ୍ଠିତ ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି। ପ୍ରାୟ ସାଢ଼େ ୭କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ କରାଯାଇଛ। ୩୭ମିନିଟର ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’କୁ ଉଭୟ ଓଡ଼ିଆ ଓ ହିନ୍ଦି ଭାଷାରେ ଅନୁଭବ କରିହେବ ।

ସେହିଭଳି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ତଥା ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ବିଶେଷକରି ଆଗନ୍ତୁକ ପର୍ଯ୍ୟଟକଙ୍କୁ ଆକୃଷ୍ଟ ନିମନ୍ତେ ପୀଠକୁ ସରସ ସୁନ୍ଦର କରିବା ପାଇଁ ମନ୍ଦିର ବେଢାର ସୌନ୍ଦର୍ଯ୍ୟକରଣ ସହ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଚଲାପଥ ନିର୍ମାଣ, ଶିବଗଙ୍ଗା ପୁଷ୍କରଣୀ କୂଳର ସୌନ୍ଦର୍ଯ୍ୟକରଣ, ଶ୍ରାବଣ ମାସରେ ଆସୁଥିବା ବୋଲବମ ଭକ୍ତଙ୍କ ଶୃଙ୍ଖଳିତ ଜଳାଭିଷେକ ନିମନ୍ତେ ନୂତନ ଶ୍ରାବଣୀ ମଣ୍ଡପ, ଯଜ୍ଞମଣ୍ଡପ ନିର୍ମାଣ, ମଣିବାବାଙ୍କ ଗର୍ଭଗୃହ ମରାମତି ସାଙ୍ଗକୁ ଗଳିଘର ଗୁମୁଟ ମରାମତି, ସେହିପରି ମୁକ୍ତିମଣ୍ଡପ, ନାଟମଣ୍ଡପ ଆଦିର ମରାମତି କରାଯିବ। ଏଥିପାଇଁ ସୋମବାର ତଥା ପବିତ୍ର ରଥଯାତ୍ରା ଅବସରରେ ମନ୍ଦିର ପରିସରରେ ଶିଳାନ୍ୟାସ କରାଯାଇଛି।

Latest Posts

Don't Miss