ମୋତେ କଂଗ୍ରେସ ଛାଡ଼ିବା ପାଇଁ ବାଧ୍ୟ କରାଯାଇଥିଲା: ଗୁଲାମନବୀ

1 min read

ନୂଆଦିଲ୍ଲୀ: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଉପରକୁ ପାଲଟା ଆକ୍ରମଣ କିରଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଜୟରାମ ରମେଶଙ୍କ ଭଳି ନେତାଙ୍କୁ ମଧ୍ୟ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି, ଯେଉଁମାନେ ମୋତେ କହୁଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛି ବୋଲି ସେମାନେ ଭୁଲିଯାଉଛନ୍ତି ଯେ ସେମାନଙ୍କ ନେତା ଲୋକସଭାରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀଙ୍କ ସହ କରମର୍ଦ୍ଦନ କରିବାକୁ ଯାଇଥିଲା । ସେ କହିଥିଲେ କି ମୋ ହୃଦୟରେ ଆପଣଙ୍କ ପ୍ରତି କିଛି ଭାବନା ନାହିଁ । ସେ ମୋଦିଙ୍କ ସହ ହାତ ମିଳାଇଛନ୍ତି ନାଁ ମୁଁ ।

ଆଜାଦ କହିଛନ୍ତି, ମୁଁ ନିଜେ କଂଗ୍ରେସ ଛାଡ଼ି ଆସିନାହିଁ ବରଂ ମୋତେ ବାଧ୍ୟ କରାଯାଇଥିଲା ଘର ଛାଡ଼ିବା ପାଇଁ । ଯେତବେଳେ ଘର ଲୋକଙ୍କୁ ଲାଗିଲା କି ଏ ବ୍ୟକ୍ତିର ଆବଶ୍ୟକତା ନାହିଁ । ଯଦି ଆମକୁ ପର ବୋଲି ଜଣାଯାଉଛି ତେବେ ଘର ଛାଡି଼ ଯିବା ହିଁ ଉତ୍ତମ ନିଷ୍ପତ୍ତି ହେବ । ସବୁଠୁ ଦୁଃଖର କଥା ଯେ, ଚାମଚାଗିରି କରୁଥିବା ଏବଂ ଟ୍ୱିଟ କରୁଥିବା ବ୍ୟକ୍ତିଙ୍କୁ ଦଳରେ ପଦ ମିଳୁଛି । କାମ କରୁଥିବା ଲୋକଙ୍କୁ ଅଣଦେଖା କରାଯାଉଛି । ଯେଉଁମାନେ କହୁଛନ୍ତି ମୁଁ ମୋଦୀଙ୍କ ସହ ହାତ ମିଳାଇଛି, ସେମାନେ ପ୍ରଥମେ ନିଜକୁ ଦେଖନ୍ତୁ ।

ମୁଁ ମୋଦୀଙ୍କ ସହ ମିଶି କଂଗ୍ରେସକୁ ଭାଙ୍ଗିବା ପାଇଁ ଯୋଜନା କରିନି ।  ଆଜାଦ କଥା କଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ସେ କହିଛନ୍ତି, ଯେଉଁମାନଙ୍କୁ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ କିଛି ଦେଖାଯାଉଛି ତାହା ଠିକ୍ ନୁହେଁ । ଯଦି କେହି ଏତେ ଅପାଠୁଆ ଓ ଜାହିଲ ଅଛନ୍ତି ତେବେ ସେ ମୋଦୀଙ୍କ ଭାଷଣ ଶୁଣନ୍ତୁ । ମୋ ପାଇଁ ସେ କାନ୍ଦିନଥିଲେ ଯେ ଗୁଲାମ ନବୀ ରାଜ୍ୟସଭା ଛାଡ଼ି ନଯାଆନ୍ତୁ । ସେ ଏକ ଘଟଣାକୁ ନେଇ ଭାବୁକ ହୋଇଥିଲେ । ମୋଦୀ ସାହେବ ବିବାହ କରିନାହାନ୍ତି, ପିଲା ମଧ୍ୟ ନାହାନ୍ତି, ମୁଁ ତ ତାଙ୍କୁ ଅତ୍ୟନ୍ତ କ୍ରୁର ବ୍ୟକ୍ତି ବୋଲି ଭାବୁଥିଲି ।

କିନ୍ତୁ ସେ ତ ମାନବତା ଦେଖାଇଛନ୍ତି । ଯେତବେଳେ ମୁଁ କଂଗ୍ରେସର ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଥିଲି ଏବଂ ଗୁଜୁରାଟ ଟୁରିଷ୍ଟ ବସ ଭିତରେ ଗ୍ରେନେଡ ବ୍ଲାଷ୍ଟ ହୋଇଥିଲା । ଅନେକ ଲୋକ ମୃତ୍ୟୁବରଣ କରିଥିଲେ । କାହାର ହାତ ନଥିଲା ତ ଆଉ କାହାର ଗୋଡ଼ । ସେ ଦୃଶ୍ୟ ଦେଖି ମୁଁ ଆତ୍ମହରା ହୋଇଯାଇଥିଲି । ସେହି ସମୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଫୋନ୍ ଆସିଥିଲା ଏବଂ ମୁଁ ଜୋରରେ କାନ୍ଦିବାକୁ ଲାଗିଥିଲି । ଏବଂ ମୁଁ ତାଙ୍କ ସହ କଥା ହୋଇପାରିନଥିଲି । ମୋ କାନ୍ଦିବାର ସ୍ୱର ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଣିଥିଲେ ।

ସେହି ଘଟଣାକୁ ମନେ ପକାଇ ସେ ରାଜ୍ୟସଭାରେ ଭାବୁକ ହୋଇଯାଇଥିଲେ । ଆଉ ଏବେ କିଛି କଂଗ୍ରେସ ନେତା ଏହାକୁ ନେଇ ରାଜନୀତିକରଣ କରୁଛନ୍ତି । ଆଜାଦ ଆଗକୁ କହିଥିଲେ ମୋଦୀ ତ ବାହାନା, କଂଗ୍ରେସ ନେତୃତ୍ୱ ମୋ ପାଇଁ ସମସ୍ୟାରେ ଥିଲେ । ଯେତବେଳେ ମୁଁ ଓ ଜି-୨୩ ଚିଠି ଲେଖିଥିଲୁ । ସେବେଠୁ ସେମାନଙ୍କ ଟାର୍ଗେଟରେ ମୁଁ ଥିଲି ।  ଏଥିସହିତ କହିଥିଲେ, ଭଗବାନଙ୍କ ପାଖରେ କୃତଜ୍ଞ ଯେ, ସୋନିଆ ଗାନ୍ଧି ସୁସ୍ଥ ଅଛନ୍ତି । ଗତକାଲି ସେ ସିଡବ୍ଲୁୟସି ବୈଠକର ଅଧ୍ୟକ୍ଷତା କରିଛନ୍ତି । ସୂଚନାଥାଉକି କଂଗ୍ରେସରେ ରାହୁଲଙ୍କ ସହ ମତଭେଦ କାରଣୁ ଗତ ଶୁକ୍ରବାର ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଏକ ନୂଆ ଦଳ ଗଢ଼ିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।