ମଧ୍ୟପ୍ରଦେଶ (ଭୋପାଳ): ନୋଏଡାର ମଡେଲ ତଥା ଅଭିନେତ୍ରୀ ତ୍ଵିଶା ଶର୍ମାଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହର ମାତ୍ର ୫ ମାସ ପରେ ଭୋପାଳସ୍ଥିତ ଶଶୁର ଘରୁ ଟ୍ୱିଶାଙ୍କ ଝୁଲନ୍ତା ଦେହ ମିଳିବା ପରେ ଏହା ଆତ୍ମହତ୍ୟା ନା ଯୌତୁକ ନିର୍ଯାତନା ଜନିତ ହତ୍ୟା, ସେ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଏହି ହାଇପ୍ରୋଫାଇଲ୍ ମାମଲାରେ ବର୍ତ୍ତମାନ କୋର୍ଟଙ୍କ ବଡ଼ ନିଷ୍ପତ୍ତି ଆସିଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସିବିଆଇ (CBI) ତଦନ୍ତର ପ୍ରତିଶ୍ରୁତି ଦେଇଛନ୍ତି।
ମାତ୍ର ୫ ମାସ ତଳେ ବଡ଼ ଆଶା ନେଇ ସଂସାର ଗଢ଼ିଥିବା ୩୩ ବର୍ଷୀୟା ତ୍ଵିଶା ଶର୍ମାଙ୍କ ଜୀବନ ଦୀପ ଏଭଳି ଭାବେ ଲିଭିଯିବ, ତାହା କେହି ଭାବି ନଥିଲେ। ଗତ ମେ ୧୨ ତାରିଖରେ ଭୋପାଳସ୍ଥିତ ଶଶୁର ଘର ଛାତ ଉପରେ ଏକ ଜିମ୍ନାଷ୍ଟିକ୍ ରୋପ୍ (ଦଉଡ଼ି)ରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ପରିବାରର ସାଂଘାତିକ ଅଭିଯୋଗ: ତ୍ଵିଶାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଏହା ସାଧାରଣ ଆତ୍ମହତ୍ୟା ନୁହେଁ। ଯୌତୁକ ପାଇଁ ତାଙ୍କୁ କ୍ରମାଗତ ଭାବେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଟ୍ୱିଶାଙ୍କୁ ହତ୍ୟା କରାଯାଇଛି କିମ୍ବା ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି।
ସ୍ୱାମୀଙ୍କ ସୂଚନା ଦେଲେ ମିଳିବ ୧୦ ହଜାର ପୁରସ୍କାର
ମୃତ୍ୟୁ ପରେ ପୋଲିସ ଟ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂହଙ୍କ ବିରୋଧରେ ଯୌତୁକ ମୃତ୍ୟୁ ମାମଲା ରୁଜୁ କରିଛି। ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଏହି ମାମଲାର ଛାନଭିନ୍ କରୁଛି। ଏହି ମାମଲାରେ ଟ୍ୱିଶାଙ୍କ ଶାଶୁଙ୍କୁ ଅଗ୍ରୀମ ଜାମିନ ମିଳିସାରିଥିବା ବେଳେ ତ୍ଵିଶାଙ୍କ ସ୍ୱାମୀ ସମର୍ଥଙ୍କ ଜାମିନ ଆବେଦନ କୋର୍ଟ ଖାରଜ କରିଦେଇଛନ୍ତି। ସେ ଏବେ ସୁଦ୍ଧା ଫେରାର ଅଛନ୍ତି। ତେବେ ଫେରାର ସମର୍ଥଙ୍କ ସୂଚନା ଦେବା ପାଇଁ ପୋଲିସ ପକ୍ଷରୁ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।
ପରିବାରକୁ ଝଟକା: ଦ୍ୱିତୀୟ ପୋଷ୍ଟମର୍ଟମ ଆବେଦନ ଖାରଜ
ନ୍ୟାୟ ପାଇଁ କୋର୍ଟରେ ଚାଲିଥିବା ଲଢ଼େଇରେ ଟ୍ୱିଶାଙ୍କ ପରିବାରକୁ ଏକ ବଡ଼ ଝଟକା ଲାଗିଛି। ଦ୍ୱିତୀୟ ସ୍ୱାଧୀନ ପୋଷ୍ଟମର୍ଟମ ପାଇଁ ପରିବାର ପକ୍ଷରୁ କରାଯାଇଥିବା ଆବେଦନକୁ ଭୋପାଳ ଜିଲ୍ଲା କୋର୍ଟ ଖାରଜ କରିଦେଇଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ମୃତ୍ୟୁର ପ୍ରାଥମିକ କାରଣ “ଶ୍ୱାସରୁଦ୍ଧ ହେବା ବା ଫାଶୀ” ବୋଲି ସ୍ପଷ୍ଟ ହୋଇଛି, ଯଦିଓ ଶରୀରରେ କିଛି ଆଘାତର ଚିହ୍ନ ମଧ୍ୟ ରହିଛି। ଭୋପାଳ ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ଏହା ଏକ ଆତ୍ମହତ୍ୟା ମାମଲା।
ମୃତଦେହ ସଂରକ୍ଷଣ ପାଇଁ କୋର୍ଟଙ୍କ ସ୍ୱେଶାଲ ନିର୍ଦ୍ଦେଶ
ଏମ୍ସ ଭୋପାଳରେ ଆବଶ୍ୟକ ସୁବିଧା ନଥିବାରୁ, କୋର୍ଟ ମୃତଦେହକୁ ଦୀର୍ଘ ସମୟ ସୁରକ୍ଷିତ ରଖିବା ପାଇଁ ମାଇନସ୍ ୮୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ସଂରକ୍ଷିତ ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନ୍ୟାୟ ଆଶାରେ ତ୍ଵିଶା ଶର୍ମାଙ୍କ ପରିବାର ଲୋକେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ପୂର୍ଣ୍ଣ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ହସ୍ତାନ୍ତର କରିବା ପାଇଁ ସେ କେନ୍ଦ୍ରକୁ ଚିଠି ଲେଖିବେ ବୋଲି ସ୍ପଷ୍ଟ କରିଛନ୍ତି। ଯଦି ପରିବାର ଚାହିଁବେ, ମୃତଦେହକୁ ଦିଲ୍ଲୀ ଏମ୍ସ (AIIMS) ନେବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।
ସାମ୍ନାକୁ ଆସିଲା ଅଡିଓ କ୍ଲିପ୍, ପ୍ରମାଣ ନଷ୍ଟର ଆଶଙ୍କା
ଏହି ସମୟରେ ଏକ ନୂଆ ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି, ଯେଉଁଥିରେ ତ୍ଵିଶାଙ୍କ ଉପରେ ହେଉଥିବା ପାରିବାରିକ ନିର୍ଯାତନାର ସ୍ପଷ୍ଟ ସଙ୍କେତ ମିଳୁଥିବା ଦାବି କରାଯାଇଛି। ତେବେ ସ୍ୱାମୀଙ୍କ ପରିବାର ବେଶ୍ ପ୍ରଭାବଶାଳୀ ଏବଂ ଆଇନଗତ ପୃଷ୍ଠଭୂମିରୁ ହୋଇଥିବାରୁ ପ୍ରମାଣ ନଷ୍ଟ ହେବାର ଆଶଙ୍କା କରୁଛନ୍ତି ଟ୍ୱିଶାଙ୍କ ପରିବାର ଲୋକେ।
ଏବେ ଦେଖିବାକୁ ବାକି ରହିଲା, ସିବିଆଇ ହାତକୁ ମାମଲା ଗଲେ ତ୍ଵିଶାଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଉପରୁ ପରଦା ହଟିପାରୁଛି କି ନାହିଁ ।

