ସାମାନ୍ୟ କଙ୍କଡ଼ା ପାଇଁ ହରଡ଼ଘଣାରେ MLA

ନନ୍ଦିଘୋଷ ବ୍ୟୁରୋ : ସାମାନ୍ୟ କଙ୍କଡ଼ା ପାଇଁ ହରଡ଼ଘଣାରେ ଏମଏଲଏ । ଏକ ସାମ୍ବାଦିକ ସମ୍ମିଳନୀରେ ଏନସିପି ଶରଦ ପାଓ୍ବାର ଗୋଷ୍ଠୀର ବିଧାୟକ ରୋହିତ ପାଓ୍ବାର ଏକ କଙ୍କଡାକୁ ଝୁଲାଇବା ଦେଖାଯାଇଥିଲା। ଏହାକୁ ବିରୋଧ କରିଛି ପ୍ରାଣୀ ଅଧିକାର ସଂଗଠନ ପେଟା ।  ରୋହିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏନସିପି ସଭାପତି ଓ ନିର୍ବାଚନ କମିଶନ କର୍ତ୍ତୃପକ୍ଷଙ୍କ ନିକଟକୁ ପତ୍ର ଲେଖିଛି ପିପୁଲ୍ସ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲସ ବା ପେଟା । ନିର୍ବାଚନ ପ୍ରଚାର ସମୟରେ କୌଣସି ପ୍ରକାର ପ୍ରାଣୀଙ୍କୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଗତ  ୨୦୧୪ ମାର୍ଚ୍ଚ ୨୪ରେ ମହାରାଷ୍ଟ୍ର ମୁଖ୍ଯ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କରିଥିଲେ । ଏହା ଏକ ମିଡିଆ ଷ୍ଟଣ୍ଟ ଥିଲା ଏବଂ ଅଯଥାରେ ଏକ ନିରୀହ ପ୍ରାଣୀ ପ୍ରତି ନିଷ୍ଠୁର ଆଚରଣ ଥିଲା ବୋଲି କହିଛି ପେଟା । ଗବେଷକଙ୍କ ମତରେ କଙ୍କଡା ଏକ ଜ୍ଞାନୀ ପ୍ରାଣୀ ଏବଂ ସେମାନେ ନିଜ ଚାରିପାଖର ଅବସ୍ଥା ସମ୍ପର୍କରେ ଜାଣିପାରିଥାନ୍ତି ।

ସେମାନଙ୍କ ସ୍ମୃତିଶକ୍ତି ଅଧିକ ଏବଂ ପରସ୍ପର ସହ ଭଲ ଯୋଗାଯୋଗ ରଖିପାରିଥାନ୍ତି । ନିର୍ବାଚନ ପ୍ରଚାର ସମୟରେ ପ୍ରାଣୀଙ୍କୁ ବ୍ୟବହାର ନ କରିବା ଲାଗି ଇସିଆଇ ଗାଇଡଲାଇନ ଜାରି କରିଛନ୍ତି । ୨୦୧୩ରେ ମହାରାଷ୍ଟର ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସମୟରେ ଗଧ, ଷଣ୍ଢ, ହାତୀ, ଗାଈଙ୍କୁ ବ୍ୟବହାର କରିବା ଉପରେ ନିଷେଧାଦେଶ ଜାରି କରିଥିଲେ । ସେହି କଙ୍କଡ଼ାକୁ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ହାତରେ ଅର୍ପଣ କରିବା ଲାଗି ରୋହିତଙ୍କୁ ପେଟା ନିର୍ଦ୍ଦେଶ ଦେଇଛି ।