ଆହାର କେନ୍ଦ୍ରର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠୀ

1 min read

ଭୁବନେଶ୍ୱର: ଆହାର କେନ୍ଦ୍ରର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠୀ। ମହିଳା ଗୋଷ୍ଠୀର ସଫଳ ପରିଚାଳନା ଓ ସହଯୋଗ ଲାଗି ସହରାଞ୍ଚଳର ଆହର କେନ୍ଦ୍ରଗୁଡ଼ିକ ଏବେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି। ମହିଳାମାନଙ୍କୁ ଆତ୍ମନିର୍ଭର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ୱରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସେମାନଙ୍କୁ ସାମିଲ କରାଯାଇଥିଲା। ୧୬୬ଟି ଆହାର କେନ୍ଦ୍ରର ପରିଚାଳନାରେ ୧୫୭ ମିଶନ ଶକ୍ତି ଗୋଷ୍ଠୀର ୨୦୦୦ରୁ ଅଧିକ ସଦସ୍ୟା ନିୟୋଜିତ ହୋଇଛନ୍ତି। ୨୦୨୦ ନଭେମ୍ବର ମାସରୁ ଏହି ମହିଳାମାନେ ସଫଳତାର ସହ ଆହାର କେନ୍ଦ୍ର ପରିଚାଳନା କରୁଛନ୍ତି।

୧୫୭ଟି ମିଶନ ଶକ୍ତି ଗୋଷ୍ଠୀକୁ ଆହାର କେନ୍ଦ୍ରଗୁଡିକରେ ସେବା ଯୋଗାଇବା ଓ ତଦାରଖ ବାବଦରେ ଏକ କୋଟି ୧୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ଆହାର କେନ୍ଦ୍ରରେ ମହିଳାଗୋଷ୍ଠିଙ୍କୁ ନିୟୋଜିତ କରାଯିବା ଫଳରେ ଖାଦ୍ୟ ବିତରଣ ଠାରୁ ଆରମ୍ଭକରି ଶାନ୍ତିଶୃଙ୍ଖଳା ରକ୍ଷା, ପରିଷ୍କାର ପରିଚ୍ଛନ୍ନତା ଆଦି ଠିକଣା ଭାବେ ପରିଚାଳନା କରାଯାଇ ପାରୁଛି। ମହିଳାମାନେ ଏବେ ଆହାର କେନ୍ଦ୍ରର ବଳ ପାଲଟିଛନ୍ତି। ବିଶେଷକରି କୋଭିଡ-୧୯ ମହାମାରୀ ସମୟରେ ମହିଳାଙ୍କ ସଫଳ ପରିଚାଳନା ଯୋଗୁଁ ଆହାରକେନ୍ଦ୍ର ଗୁଡ଼ିକ ଖୋଲା ରହିବା ସହିତ ନିୟମିତ ଭାବେ ଅସହାୟମାନଙ୍କୁ ଖାଦ୍ୟ ଯୋଗାଇବାରେ ସଫଳ ହୋଇଛି।

କେବଳ ଆହାର କେନ୍ଦ୍ର ନୁହେଁ ମହିଳାଙ୍କ ସଫଳ ପରିଚାଳନାକୁ ଦେଖି ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀଗୁଡିକର ପରିଚାଳନା ଦାୟିତ୍ୱବି ଗୃହ ଏବଂ ନଗର ଉନ୍ନୟନ ବିଭାଗ ମହିଳା ଗୋଷ୍ଠୀଙ୍କ ହାତରେ ଦେଇଛନ୍ତି। ଏହାର ସଫଳ ପରିଚାଳନା ପାଇଁ ମୋଟ ଖର୍ଚ୍ଚ ହେଉଥିବା ଅର୍ଥର ୧୦ ପ୍ରତିଶତ ମିଶନ ଶକ୍ତି ଗୋଷ୍ଠିକୁ ମିଳୁଛି । କେବଳ ଏହି ଦୁଇଟିରେ ମିଶନ ଶକ୍ତିର ମହିଳାଗୋଷ୍ଠି ନିଜର ସଫଳତାର ପ୍ରମାଣ ଦେଇନାହାନ୍ତି ବରଂ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଜଳଯୋଗାଣ ଠାରୁ ଆରମ୍ଭ କରି ପରିମଳ ଏବଂ ଟ୍ରାଫିକ ନିୟନ୍ତ୍ରଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ଆତ୍ମନିର୍ଭର ହୋଇ ପାରୁଛନ୍ତି।

Leave a Reply