ଛେଳିଗୁହାଳରେ ଚାଲିଛି ଶିକ୍ଷାଦାନ, କାନ୍ଥ ସାଜିଛି କଳାପଟା

ଉଦଳା : ବିଦ୍ଯାଳୟରେ ନୂତନ ସ୍କୁଲ ଘର ନିର୍ମାଣ ହୋଇଥିଲେ ବି ଏପର୍ଯ୍ଯନ୍ତ ସରିନଥିବାରୁ ଦୀର୍ଘ ବର୍ଷ ଧରି ବାରଣ୍ଡାରେ ଚାଲିଛି ପାଠପଢା । କାନ୍ଥ ସାଜିଛି କଳାପଟା । ଛେଳି ଗୁହାଳରେ ଚାଲିଛି ଶିକ୍ଷାଦାନ । ଏଭଳି ପ୍ରାଥମିକ ଶିକ୍ଷାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଠାକରାସାହି ପ୍ରାଥମିକ ବିଦ୍ଯାଳୟରେ । ଏହି ବିଦ୍ଯାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ୩୦ ଜଣ ପିଲା ପାଠ ପଢୁଛନ୍ତି । ହେଲେ ବିଦ୍ଯାଳୟରେ ନିଜସ୍ଵ ସ୍କୁଲ ଘର ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପିଲା । ଦୀର୍ଘ ୧୪ ବର୍ଷ ପୂର୍ବରୁ ଗାଁରେ ବିଦ୍ଯାଳୟ ନିମନ୍ତେ ଘର ନିର୍ମାଣ ହୋଇଥିଲା । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଆଜି ପର୍ଯ୍ଯନ୍ତ ସ୍କୁଲ ଘର ନିର୍ମାଣ ହୋଇନାହିଁ । ସ୍କୁଲ ଘର ନଥିବାରୁ ଦୀର୍ଘ ଦିନ ଧରି ବାରଣ୍ଡାରେ ଚାଲିଛି ପାଠପଢା । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ସେପଟେ ଖୁବ ଶୀଘ୍ର ବିଦ୍ଯାଳୟ ଶ୍ରେଣୀଗୃହ ନିର୍ମାଣ କରାଯିବ ବୋଲି ବିଇଓ ସୂଚନା ଦେଇଛନ୍ତି ।

ସେପଟେ ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ଡ଼ିମିରିକୁଦା ପଞ୍ଚାୟତ ଛେଳିଆମେଣ୍ଢିଆ ପ୍ରାଥମିକ ବିଦ୍ଯାଳୟରେ ଭୁଶୁଡିପଡିଛି ଶିକ୍ଷାଦାନ ପ୍ରକ୍ରିୟା । ବିଦ୍ଯାଳୟ ଶ୍ରେଣୀ ଗୃହ ବିପଦପୂର୍ଣ୍ଣ ଥିବାରୁ ଗାଁର କମ୍ଯୁନିଟି ସେଣ୍ଟରରେ ଚାଲିଛି ପାଠପଢା । ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ୩୯ ଜଣ ଛାତ୍ରଛାତ୍ରୀଙ୍କ ପାଠପଢା ୨ ଜଣ ଶିକ୍ଷକରେ ଚାଲିଛି । ବିଦ୍ଯାଳୟ ଶ୍ରେଣୀଗୃହ ନଥିବାରୁ ବାଧାପ୍ରାପ୍ତ ହେଉଛି ଶିକ୍ଷାଦାନ ପ୍ରକ୍ରିୟା । ସେହିପରି ବିଦ୍ଯାଳୟରେ ନୂତନ ଶ୍ରେଣୀ ଗୃହ ପାଇଁ କୋଠା ନିର୍ମାଣ ହୋଇଥିଲେ ସୁଦ୍ଧା ତାହା ଏପର୍ଯ୍ଯନ୍ତ ସରିପାରିନାହିଁ । ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ସେପଟେ ଶୁବଶୀଘ୍ର ପିଲାଙ୍କ ସମସ୍ଯାର ସମାଧାନ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି । ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ନିର୍ମାଣ କେବେ ସରୁଛି ତାହା ଉପରେ ସମସ୍ତଙ୍କ ନଜର ।