ରାଜସ୍ଥାନରେ ବିକ୍ରି ହେଉଛନ୍ତି ସୁନ୍ଦରଗଡ଼ର ନାବାଳିକା

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାରେ ନାବାଳିକା ଚାଲାଣ ରାକେଟ ସକ୍ରିୟ । ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଇ ରାଜସ୍ଥାନରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ । ରାଜସ୍ଥାନରେ ବିକ୍ରି ହୋଇଥିବା ଦୁଇ ନାବାଳିକାଙ୍କୁ କୁତ୍ରା ପୁଲିସ ଉଦ୍ଧାର କରିବା ସହ ୬ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉଦ୍ଧାର ହୋଇଥିବା ଦୁଇ ନାବାଳିକାଙ୍କୁ ଶିଶୁ ମଙ୍ଗଳ କମିଟି ସୁନ୍ଦରଗଡ଼ରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅତି ଗରିବ ଓ ଅସହାୟ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଚାଲାଣ କରାଯାଉଥିବା ହୋଇଛି ଅଭିଯୋଗ । ନାବାଳିକାଙ୍କୁ ପ୍ରଥମେ ଚିହ୍ନଟ କରିବା ପରେ ସେମାନଙ୍କୁ ଭଲ ଦରମାରେ କାମ ଯୋଗାଇ ଦେବାର ପ୍ରତିଶୃତି ଦିଆଯାଇଥାଏ । ଏପରିକି ରେଲୱେ ଷ୍ଟେସନ ଓ ବସଷ୍ଟାଣ୍ଡ ଅଞ୍ଚଳରୁ ମଧ୍ୟ ନାବାଳିକାଙ୍କୁ ଚିହ୍ନଟ କରି ଚାଲାଣ କରାଯାଉଛି । ପରେ ସେମାନଙ୍କୁ ରାଜସ୍ଥାନରେ ଅଢେଇ ଲକ୍ଷରୁ ସାଢେ ତିନି ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ପୋଲିସ ଏକ ନାବାଳିକା ଚାଲାଣ ରାକେଟକୁ ଧରିବା ପରେ ଏହି ମାନବ ଚଲାଣ ରାକେଟର ପର୍ଦ୍ଦାଫାଶ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ଓ ରାଜସ୍ଥାନ ଅଞ୍ଚଳର ୨ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।