ଭରା ନଈରେ ୨୦ କିମି ଭାସିଯିବା ପରେ ନାବାଳକ ଉଦ୍ଧାର

ଚଣ୍ଡିଖୋଲ: ସୂତା ଖିଅରେ ବଞ୍ଚିଗଲା ଜୀବନ । ଭରା ନଈର ପ୍ରଖର ସ୍ରୋତରେ ୨୦ କିଲୋମିଟର ଭାସିଯିବା ପରେ ଉଦ୍ଧାର ହୋଇଛନ୍ତି ନାବାଳକ । ଢେଙ୍କାନାଳ ଜିଲ୍ଲା ଦିଗାମ୍ବରପୁରରେ ଜଣେ ନାବାଳକ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ବ୍ରାହ୍ମଣୀରେ ଭାସି ଯାଇଥିଲେ । ଭାସି ଯାଉଥିବା ନାବାଳକ ଜଣଙ୍କୁ ଧର୍ମଶାଳା ବ୍ଲକର ଏଣ୍ଡଳବା ନୌକା ଘାଟରେ କିଛି ଲୋକ ଦେଖିଥିଲେ । ଏହାପରେ କିଛି ନାଉରି ଡଙ୍ଗା ସାହାଯ୍ୟରେ ନଦୀରେ ୫ କିଲୋମିଟର ଦୂର ଯିବାପରେ ନାବାଳକ ଜଣଙ୍କୁ ଉଦ୍ଧାର କରିଥିଲେ ।
ଉଦ୍ଧାର ନାବାଳକ ଜଣକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଣ୍ଡୁଆ ଗାଁର ସୁଶାନ୍ତ ବାରିକଙ୍କ ପୁଅ ଅଲ୍ହା । ସେ ମାମୁଁ ଘର ଦିଗାମ୍ବରପୁର ଠାରେ ରହୁଥିବା ବେଳେ ନଦୀକୁ ଗଧୋଇବାକୁ ଯାଇଥିଲେ । ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିଲା । ଗୋଡ଼ ଖସିଯିବାରୁ ନାବାଳକ ଭାସି ଯାଇଥିଲେ । ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ନାବାଳକଙ୍କୁ ମେଡିକାଲ ପଠାଯାଇଛି । ଉଦ୍ଧାର କରିଥିବା ନାଉରିଆଙ୍କୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।