ମହଙ୍ଗା ପଡ଼ିଲା ଓଭର ଲୋଡ୍: ରାସ୍ତା ଉପରେ ଦୁଇ ସ୍କୁଲ ବସ୍ ସିଜ୍ କଲେ ମନ୍ତ୍ରୀ

ଆନନ୍ଦପୁର: ଆକ୍ସନ ମୁଡ଼ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ରାସ୍ତା ଉପରେ ଦୁଇ ସ୍କୁଲ୍ ବସ୍ ଉପରେ ଅନ୍ ଦି ସ୍ପଷ୍ଟ ଆକ୍ସନ୍ । କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେବା ଅଭିଯୋଗରେ ଦୁଇ ସ୍କୁଲ୍ ବସ୍ ସିଜ୍ । ଘଟଣା ଘଟିଛି ଆନନ୍ଦପୁର ଅଞ୍ଚଳରେ । ସିଜ୍ ହୋଇଥିବା ଦୁଇଟି ବସ୍ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ବୋଲି ଜଣାପଡ଼ିଛି ।

ମନ୍ତ୍ରୀ ସମୀର ଦାସ ଆନନ୍ଦପୁର ଗସ୍ତରେ ଥିଲେ । ବାଟରେ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ଦୁଇଟି ବସ୍ ଯାଉଥିବା ବେଳେ ମନ୍ତ୍ରୀଙ୍କ ନଜର ପଡ଼ିଥିଲା । ବସକୁ ଅଟକାଇ ସେଥିରେ କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀ ଥିବା ଦେଖି ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ଟିମ୍ ପହଞ୍ଚି ବସ୍ ଦୁଇଟିକୁ ଜବତ କରିଛି । ଏହାସହ ଗାଡ଼ିର କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଇଛି ।

ସୂଚନା ଅନୁସାରେ, ପୂର୍ବରୁ ବିଦ୍ୟାଳୟର ବସକୁ ନେଇ ଅନେକ ଥର ଅଭିଯୋଗ ହୋଇ ଆସୁଥିଲା । ହେଲେ ଏଥିପ୍ରତି ସ୍କୁଲ କର୍ତ୍ତୃପକ୍ଷ କି ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁ ନଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏପଟେ ମନ୍ତ୍ରୀଙ୍କ ଅନ୍ ଦି ସ୍ପଷ୍ଟ ଆକ୍ସନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।