ନୂଆ ରୂପରେ ଆସିବ NRC, ସମସ୍ତ ଭାରତୀୟ ନାଗରିକଙ୍କ ଜନ୍ମ, ମୃତ୍ୟୁର ତଥ୍ୟ ରହିବ ପଞ୍ଜିକୃତ

ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଜାତୀୟ ନାଗରିକ ରେଜିଷ୍ଟର ବା ଏନଆରସି ପ୍ରସ୍ତୁତ ହେବ । ସମସ୍ତ ଭାରତୀୟ ନାଗରିକଙ୍କ ଜନ୍ମ, ମୃତ୍ୟୁର ତଥ୍ୟ ଏଥିରେ ପଞ୍ଜିକୃତ ରହିବ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥିପାଇଁ କ୍ୟାବିନେଟ ପ୍ରସ୍ତାବ ଓ ଏକ ବିଲ୍ ସକାଶେ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତ୍ତମାନ ଏହି ସବୁ ତଥ୍ୟ ରାଜ୍ୟସ୍ତରରେ କରାଯାଉଛି । ପୂର୍ବରୁ ଜନ ପ୍ରତିନିଧି ଆଇନକୁ ସଂଶୋଧନ କରି ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡ ଲିଙ୍କ୍ ବ୍ୟବସ୍ଥା ପାଇଁ ନିର୍ବାଚନ କମିଶନ ସୁପାରିସ କରିବା ପରେ ଏହାକୁ ପାର୍ଲାମେଣ୍ଟରେ ଦୃଢ ବିରୋଧ କରାଯାଇଥିଲା ।

ବର୍ତ୍ତମାନ ଏହି ଡାଟାବେସକୁ ଜନସଂଖ୍ୟା ରେଜିଷ୍ଟର, ଭୋଟର ତାଲିକା, ଆଧାର କାର୍ଡ, ରାସନ କାର୍ଡ, ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ ସହ ଲିଙ୍କ୍ କରିବା ଲାଗି ସରକାର ଚାହିଁଛନ୍ତି । ଏଥିଲାଗି ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଆଇନରେ ସଂଶୋଧନ ଆଣିବା ଲାଗି କ୍ୟାବିନେଟ ନୋଟ୍ ପ୍ରସ୍ତୁତ କରାଯାଉଛି । ରାଜ୍ୟଗୁଡ଼ିକର ମୁଖ୍ୟ ରେଜିଷ୍ଟ୍ରାରମାନଙ୍କ ସହ ଭାରତର ରେଜିଷ୍ଟ୍ରାର ଜେନେରାଲ ସମନ୍ୱୟ ରକ୍ଷା କରି ଏହି ଡାଟାବେସ ପ୍ରସ୍ତୁତ କରିବେ । ତଥ୍ୟଗୁଡିକର ଅପଡେଟ ଲାଗି ଆଧାର, ରାସନ କାର୍ଡ, ଭୋଟର ତାଲିକା, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସ କର୍ତ୍ତୃପକ୍ଷଙ୍କ ସହ ଧାରାବାହିକ ଭାବେ ଯୋଗସୂତ୍ର ରକ୍ଷା କରାଯିବ ।

ଜାତୀୟ ଜନସଂଖ୍ୟା ରେଜିଷ୍ଟରକୁ ଅପଡେଟ କରିବା ସହ ଅନୁପ୍ରବେଶକାରୀଙ୍କୁ ବେଆଇନ ଘୋଷଣା କରିବା ସକାସେ ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତ କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତି ସହ ବିବାଦୀୟ ନାଗରିକତ୍ବ ସଂଶୋଧନ ଆଇନ ବା ସିଏଏକୁ ନେଇ ୩ ବର୍ଷ ତଳେ ସାରା ଦେଶରେ ଜୋରଦାର ବିକ୍ଷୋଭ ହୋଇଥିଲା । ସିଏଏରେ ରହିଥିବା ବ୍ୟବସ୍ଥା ଅନୁସାରେ ୨୦୧୫ ପୂର୍ବରୁ ପଡ଼ୋଶୀ ଦେଶର ଯେଉଁ ଅଣମୁସଲିମ ଶରଣାର୍ଥୀ ଭାରତକୁ ଚାଲିଆସିଛନ୍ତି ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ । ସଂସଦର ଆସନ୍ତା ଅଧିବେଶନରେ ଏନେଇ ବିଲ୍ ଆସିବ ।