spot_img

Latest Posts

ରାଜ୍ୟ ନିଶ୍ଚିତ କର୍ମନିଯୁକ୍ତି ପରିଷଦର ସପ୍ତମ ବୈଠକ: ଅଙ୍ଗନୱାଡ଼ି ଗୃହ ନିର୍ମାଣ, ଜଳସଂରକ୍ଷଣ ଓ ଜଳ ପରିଚାଳନା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟ ନିଶ୍ଚିତ କର୍ମ ନିଯୁକ୍ତି ପରିଷଦର ସପ୍ତମ ବୈଠକ ଆଜି ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତି ରାଜ ଓ ପାନୀୟ ଜଳ, ଆଇନ୍, ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧକ୍ଷତାରେ ବୈଠକ ବସିଥିଲା । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଫୋକସ୍ କାର୍ଯ୍ୟକ୍ରମ ଗୁଡ଼ିକ କାର୍ଯ୍ୟକାରୀତା କ୍ଷେତ୍ରରେ ସ୍ୱଚ୍ଛତା ଓ ଉତର ଦାୟିତ୍ୱ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ମନ୍ତ୍ରୀ ।

ପ୍ରାରମ୍ଭରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପରିଷଦର ଅଧ୍ୟକ୍ଷ ଓ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ସ୍ଵାଗତ ଜଣାଇ ରାଜ୍ୟ ନିଶ୍ଚିତ କର୍ମନିଯୁକ୍ତି ପରିଷଦର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।

MGNREGA Focus On Anganwadi House Construction

୨୦୨୧-୨୨ ଆର୍ଥିକ ବର୍ଷର ସଫଳତା ଗତ ୨୦୨୦-୨୧ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ ରହିଛି । ତା’ଛଡ଼ା ଚଳିତ ବର୍ଷ ରାଜ୍ୟର ସଫଳତା, ଦେଶର ୧୦ ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ମାନଙ୍କ ମଧ୍ୟରେ ସ୍ଥାନ ବଜାୟ ରଖିଛି । ୧୪.୬ କୋଟି ଶ୍ରମ ଦିବସ ସୃଷ୍ଟି ସହିତ ସପ୍ତମ ସ୍ଥାନ, ୧୦୦ ଦିନରୁ ଅଧିକ କାର୍ଯ୍ୟ କରିଥିବା ପରିବାରରେ ଦ୍ୱିତୀୟ ସ୍ଥାନ, ପ୍ରତି ପରିବାର ପିଛା ହାରାହାରି କାର୍ଯ୍ୟ ଦିବସରେ ଦ୍ଵିତୀୟ ସ୍ଥାନ, ଉଚିତ୍ ସମୟରେ ଶ୍ରମିକ ମାନଙ୍କୁ ଦେୟ ପ୍ରଦାନରେ ଅଷ୍ଟମ ସ୍ଥାନ, ଜିଓ-ମନରେଗାରେ ସପ୍ତମ ସ୍ଥାନ ଓ ଗ୍ରାମ ପଞ୍ଚାୟତ ଜିଆଇଏସ ପ୍ଲାନରେ ଶୀର୍ଷ ସ୍ଥାନ ବଜାୟ ରଖିଛି ।

ରାଜ୍ୟର ୨୦ ଦାଦନ ପ୍ରବଣ ବ୍ଲକ ଗୁଡ଼ିକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ  ଜବକାର୍ଡଧାରୀ ମାନଙ୍କୁ ବିଜ୍ଞାପିତ ମଜୁରି ଦର ଉପରେ ଅତିରିକ୍ତ ମଜୁରି ପ୍ରଦାନ କରି ଏହାକୁ ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଜ୍ଞାପିତ ସର୍ବନିମ୍ନ ମଜୁରି ହାରରେ ପ୍ରଦାନ କରାଯାଉଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଅଧିନିୟମରେ ଧାର୍ଯ୍ୟ ହୋଇଥିବା ୧୦୦ ଦିନର ନିଶ୍ଚିତ କର୍ମନିଯୁକ୍ତି ବ୍ୟତିରେକ ଅତିରିକ୍ତ ୨୦୦ ଦିନର କର୍ମ ନିଯୁକ୍ତି ପ୍ରଦାନ କରାଯାଉଛି । ଉକ୍ତ ୨୦୦ ଦିନ ନିମନ୍ତେ ଜବକାର୍ଡଧାରୀ ମାନଙ୍କୁ ତାଙ୍କର ଦୈନିକ ମଜୁରି ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଜ୍ଞାପିତ ସର୍ବନିମ୍ନ ମଜୁରି ହାରରେ ପ୍ରଦାନ କରାଯାଉଛି ।

MGNREGA Focus On Anganwadi House Construction

ସେହିପରି ଫୋକସ୍ କ୍ରିୟା କଳାପ ମଧ୍ୟରେ ଲାଇନ୍ ବିଭାଗ ଗୁଡ଼ିକ ସହ ପ୍ରଭାବୀ ଏକାଭିମୁଖିକରଣ ମାଧ୍ୟମରେ ଚଳିତ ବର୍ଷ ୩୬୫୬ କୋଟି ଟଙ୍କାର କାର୍ଯ୍ୟ ଯୋଜନା ଅନୁମୋଦନ କରାଯାଇଛି । ଉକ୍ତ ପଦକ୍ଷେପ ଯୋଗୁଁ ୭୪୭.୮୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୨.୮୯ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଉଦ୍ୟାନ କୃଷି ୨୧୧୧୫ ହେକ୍ଟର, ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ୨୫୧୫୫ ହେକ୍ଟର ବନୀକରଣ ଓ ୬୦୬୬୩ ଫାର୍ମ ପୋଖରୀ କରାଯିବା ନିମନ୍ତେ ପଦକ୍ଷେପ ହାତକୁ ନିଆଯାଇ ଗରିବ ପରିବାରଙ୍କର ଜୀବିକା ସୁରକ୍ଷାକୁ ସୁଦୃଢ଼ କରାଯାଇଛି ।

ରାଜ୍ୟରେ ପକାଘର ନଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ପାଇଁ ପକାଘର ନିର୍ମାଣ କାର୍ଯ୍ୟ ଅଗ୍ରାଧିକାର ଭିତିରେ ଗ୍ରହଣ କରାଯିବ । ରାଜ୍ୟ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ ରୂପାୟନ ନିମନ୍ତେ  ସ୍ଵଚ୍ଛତା ଓ ଉତ୍ତରଦାୟିତ୍ଵ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ସ୍ୱଚ୍ଛତା ଓ ଉତ୍ତରଦାୟିତ୍ଵ ବଜାୟ ରଖିବା ପାଇଁ ଏରିଆ ଅଫିସର ଆପ୍, ନ୍ୟାସନାଲ୍ ମୋବାଇଲ୍ ମନିଟରିଂ ସିଷ୍ଟମ୍, ଜିଆଇଏସ ଆଧାରିତ ଯୋଜନା, ସମ୍ପତ୍ତିର ଜିଓ ଟ୍ୟାଗିଂ, ଆଧାର ସିଡିଂ, ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା (ଏବିପିଏସ୍)ର ଉପଯୋଗ ସହ ସାମାଜିକ ସମୀକ୍ଷା ଏବଂ ଅମ୍ବୁଡ୍ସପର୍ସନଙ୍କ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉଛି ।

ଉକ୍ତ ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ. ଶାସନ ସଚିବ, ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଏବଂ ସଦସ୍ୟ ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ, ପଞ୍ଚାୟତ ସମିତି ଚେୟାରମ୍ୟାନ, ସରପଞ୍ଚ ଉପସ୍ଥିତ ଥିଲେ । ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ବିଭିନ୍ନ ସଫଳତାର ଏକ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରିଥିଲେ ।

Latest Posts

Don't Miss