ଆଜି ରାଜ୍ୟରେ ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି

1 min read

ଭୁବନେଶ୍ବର : ଆଜି ରାଜ୍ଯରେ ହେବ ଭୀଷଣ ବର୍ଷା । ଭାସିବ ଦକ୍ଷିଣ ଓଡ଼ିଶା ! । ଧସିବ ମାଟି ଅତଡା, ଭାଙ୍ଗିବ କଚ୍ଚା ଘର, ସୃଷ୍ଟି ହୋଇପାରେ ଆକସ୍ମିକ ବନ୍ୟା ସ୍ଥିତି । ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ୩ ଜିଲ୍ଲା ଗଜପତି, କୋରାପୁଟ ଏବଂ ମାଲକାନଗିରିକୁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଖୁବଶୀଘ୍ର ଘନୀଭୂତ ହୋଇ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପନେବ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ନିକଟରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର।  ଗଜପତି, କୋରାପୁଟ ଏବଂ ମାଲକାନଗିରିରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ଅଧିକ ରହିଛି । ଏଥିସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଗଞ୍ଜାମ, ରାୟଗଡା, କଳାହାଣ୍ଡି ଏବଂ ନବରଙ୍ଗପୁରରେ ୭୦ ରୁ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି । ସେହିଭଳି ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲା ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । କାଲି କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବର୍ଷା ସହ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ବହିବ ପବନ । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କତା ପରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଆଜି କୋରାପୁଟ ଓ ଗଜପତି ଜିଲ୍ଲାରେ ସମସ୍ତ ଶିକ୍ଷା ଅନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଭୀଷଣ ବର୍ଷା ପାଇଁ ରେଡ୍ ଓ୍ବାର୍ଣ୍ଣିଂ ଥିବାରୁ ସ୍କୁଲ ଛୁଟି। ସମ୍ଭାବ୍ଯ ବିପଦ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।