ଚଳିତବର୍ଷରୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜରେ ଏମବିବିଏସ ନାମଲେଖା

1 min read

ସୁନ୍ଦରଗଡ଼: ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସୁନ୍ଦରଗଡ଼ ସହରର ଶଙ୍କରା ଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ପାଠପଢ଼ା ଲାଗି ନ୍ୟାସନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି। ୧୦୦ଟି ସିଟ୍ ଲାଗି ଏହି ମଞ୍ଜୁରୀ ମିଳିଛି। ୨୦୨୨-୨୩ ଶିକ୍ଷାବର୍ଷରୁ ପାଠପଢ଼ା ପାଇଁ କମିଶନ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅନୁମତି ପ୍ରଦାନ କରିଛନ୍ତି।

ଏହି ମେଡିକାଲ କଲେଜ ସହିତ ୬ ମହଲା ବିଶିଷ୍ଟ ତଥା ୫୦୦ ଶଯ୍ୟାର ଏକ ସୁପରସ୍ପେଶାଲଟି ହସ୍ପିଟାଲ ନିର୍ମାଣ କରାଯାଇଛି। ଏଠାରେ ଆବଶ୍ୟକ ସଂଖ୍ୟକ ଆଇସିୟୁ ବେଡ୍, ବିଭିନ୍ନ ଅତ୍ୟାଧୁନିକ ଡାକ୍ତରୀ ପରୀକ୍ଷା, ଅତ୍ୟାଧୁନିକ ଅପରେସନ ଥିଏଟର ଏବଂ ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ରହିଛି। ଫଳରେ ଆଗାମୀ ଦିନରେ ସୁନ୍ଦରଗଡ଼ ଡାକ୍ତରୀ ଶିକ୍ଷା ପାଇଁ ଏକ ପ୍ରମୁଖ ଆକର୍ଷଣ ହେବା ସହିତ ପଶ୍ଚିମ ଓଡ଼ିଶାରେ ଚିକିତ୍ସା ସେବା ଯୋଗାଇ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ।

ଚଳିତ ବର୍ଷ ଲାଗି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ନାମଲେଖା ପାଇଁ ପଥ ପରିଷ୍କାର ହୋଇଯାଇଛି। ବର୍ତ୍ତମାନ ମେଡିକାଲ କଲେଜ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଅନୁମତି ଲାଗି ପଦକ୍ଷେପ ନିଆଯିବ। ଚଳିତ ଶିକ୍ଷାବର୍ଷରେ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତାମୂଳକ ନିଟ୍ ପରୀକ୍ଷାରୁ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ନାମ ଲେଖାଇବାର ସୁଯୋଗ ପାଇବେ।

ଅନୁମତି ଆସିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତରୀ ଶିକ୍ଷାର ପ୍ରସାର ଲାଗି ରାଜ୍ୟ ସରକାରଙ୍କ ପରିକଳ୍ପନାକୁ ସାକାର କରିବ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହେବାକୁ ଥିବା ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଆବଶ୍ୟକ କ୍ଲାସରୁମ ସହିତ ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଲାବୋରେଟୋରି ରହିଛି। ଛାତ୍ରଛାତ୍ରୀ ମାନଙ୍କ ରହିବା ପାଇଁ ମୋଟ ୪୮୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ କରାଯାଇଛି। ସେହିପରି ୨୧ ଏକର ପରିବ୍ୟାପ୍ତ କ୍ଷେତ୍ରରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ସହ ରେସିଡେଣ୍ଟ ଡାକ୍ତର ଏବଂ ନର୍ସଙ୍କ ପାଇଁ ହଷ୍ଟେଲ ତଥା କର୍ମଚାରୀ ଓ ଡିନଙ୍କ ପାଇଁ କ୍ୱାର୍ଟର ନିର୍ମାଣ କରାଯାଇଛି।