ପ୍ରଥମେ ଓବିସିଙ୍କୁ ସଂରକ୍ଷଣ ପରେ ହେବ ପୌର ନିର୍ବାଚନ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୌର ନିର୍ବାଚନ ପୂର୍ବରୁ କ୍ଷମତାସୀନ ଯୋଗୀ ଆଦିନତ୍ୟନାଥ ସରକାରଙ୍କୁ ଶକ୍ତ ଝଟକା ଲାଗିଛି । ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଜାରି କରିଥିବା ଚିଠା ବିଜ୍ଞପ୍ତିକୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଖାରଜ କରି ଦେଇଛନ୍ତି । ଏଥିସହ ଓବିସିଙ୍କ ପାଇଁ ବିନା ସଂରକ୍ଷଣ ବ୍ୟବସ୍ଥାରେ ପୌର ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ସରକାର ପଛୁଆ ବର୍ଗଙ୍କ ହକ୍ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ । ସେହିପରି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପି ଉପରେ କୋର୍ଟରେ ଦୁର୍ବଳ ଲବି ରଖିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ପଛୁଆ ବର୍ଗଙ୍କ ପାଇଁ ବିଜେପି ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୟାନ ଜାରି କରି କହିଛନ୍ତି ଯେ, ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ କମିଶନ ଗଠନ କରି ଟ୍ରିପଲ ଟେଷ୍ଟ ଆଧାରରେ ଅନ୍ୟ ପଛୁଆ ବର୍ଗ ନାଗରିକଙ୍କୁ ସଂରକ୍ଷଣର ସୁବିଧା ଉପଲବ୍ଧ କରାଯିବ । ଏହାପରେ ହିଁ ପୌର ନିର୍ବାଚନ କରାଯିବ । ଯଦି ଆବଶ୍ୟକ ପଡ଼େ ତେବେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଣ୍ଣୟ କ୍ରମରେ ସମସ୍ତ ଆଇନଗତ ଦିଗଗୁଡ଼ିକ ଉପରେ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟରେ ଅପିଲ କରିବେ । ସୂଚନାଥାଉକି, ଡିସେମ୍ବର ୫ ତାରିଖରେ ଉତ୍ତର ପ୍ରଦେଶ ସରକାର ଗୋଟିଏ ଚିଠା ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିରେ କୁହାଯାଇଥିଲା ଯେ ଅନ୍ୟ ପଛୁଆ ବର୍ଗ (ଓବିସି)ର ଲୋକଙ୍କ ପାଇଁ ପୌର ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ରହିବ।