ଏପ୍ରିଲ ୩ରୁ ମାଟ୍ରିକ ଖାତାଦେଖା, ମାସ ଶେଷକୁ ରେଜଲ୍ଟ !

ଭୁବନେଶ୍ବର: ଏଥର ଜୁଲାଇ ନୁହେଁ, ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇ ପାରେ ମାଟ୍ରିକ ପରୀକ୍ଷା ଫଳ । ସୁରୁଖୁରୁରେ ସରିଛି ମାଟ୍ରିକ ପରୀକ୍ଷା । ଆସନ୍ତା ସୋମବାରରୁ ଆରମ୍ଭ ହେବ ଖାତାଦେଖା । ୧୩ ଦିନ ଭିତରେ ସରିବ ଖାତା ଦେଖା । ପରୀକ୍ଷା ଫଳ ବାହାରିବା ପରେ ଜୁନ୍ ଦ୍ବିତୀୟ ସପ୍ତାହରୁ ଏକାଦଶ କ୍ଲାସ ଆରମ୍ଭ ହେବାର ସମ୍ଭାବନା ରହିଛି ।

ଏପ୍ରିଲ ୩ରୁ ଆରମ୍ଭ ହୋଇ ଏପ୍ରିଲ ୧୫ ସୁଦ୍ଧା ସରିବ ମାଟ୍ରିକ ଖାତା ଦେଖା । ଏଥିପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ର ବଛାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଖାତାଦେଖା ହେବ । ନିର୍ଦ୍ଧାରିତ ସମୟରେ ମାଟ୍ରିକ ଖାତାଦେଖା ହେଉଥିବାରୁ, ଶୀଘ୍ର ଫଳାଫଳ ପ୍ରକାଶ ମଧ୍ୟ ହୋଇପାରେ । କୋଭିଡ ସମୟର ପରୀକ୍ଷା ଦ୍ବନ୍ଦ୍ବକୁ ସଫଳତାର ସହ ସାମ୍ନା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କୋଭିଡ ପରବର୍ତ୍ତୀ ସମୟରେ ବି ପରୀକ୍ଷା ପରିଚାଳନାର ବଡ଼ ସଫଳତା ପାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୫ ସୁଦ୍ଧା ମୂଲ୍ୟାୟନ ସରିବାର ଅର୍ଥ ହେଉଛି, ଚଳିତମାସ ଶେଷ ସୁଦ୍ଧା ଫଳ ପ୍ରକାଶ । ପୂର୍ବରୁ ଜୁଲାଇ ଯାଏଁ ଫଳାଫଳ ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା । ହେଲେ ଏଥର ମାଧ୍ୟମିକ ଶିକ୍ଷା ବୋର୍ଡ ସହ ଆଲୋଚନା କରି ଶୀଘ୍ର ମାଟ୍ରିକ ଫଳ ପ୍ରକାଶ କରିବା ଦିଗରେ ସଙ୍କେତ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ଏପ୍ରିଲ ଶେଷ ସୁଦ୍ଧା ଯଦି ଫଳ ପ୍ରକାଶ ପାଏ, ଜୁନ୍ ମାସରୁ ଏକାଦଶ କ୍ଲାସ ଆରମ୍ଭ ହେବ । ଏହା ଭିତରେ ଫର୍ମ ଫିଲଅପ୍ କରି ପରୀକ୍ଷା ଦେଇ ନଥିବା ୧୩ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଏପରି ହେଲେ, ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ଏକାଦଶକୁ ଉତ୍ତୀର୍ଣ୍ଣ ହେବେ ।

କୋଭିଡ ପାଇଁ ଶିକ୍ଷା ବ୍ୟବସ୍ଥା ସମାନ୍ୟ ପଛକୁ ଚାଲି ଯାଇଥିଲା । ହେଲେ ରାଜ୍ୟ ସରକାର ଶିକ୍ଷାଦାନରେ କୋଭିଡକୁ ଚ୍ୟାଲେଞ୍ଜ ଭାବେ ନେଇ ସଫଳତା ପାଇଥିଲେ । ଚଳିତ ଥର ଯଦି ଠିକ୍ ସମୟରେ ଫଳାଫଳ ପ୍ରକାଶ ପାଏ, ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ।