ICCର ବଡ଼ ନିଷ୍ପତ୍ତି: ଭାରତ-ପାକିସ୍ତାନ ମ୍ୟାଚରେ ରେଫରୀ ରହିବେ ଆଣ୍ଡି ପାଇକ୍ରପ୍ଟ
1 min read
ନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ସୁପର-୪ ମ୍ୟାଚ୍ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟରେ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିତୀୟ ମୁକାବିଲା ହେବ । ପ୍ରଥମ ମ୍ୟାଚରେ ହ୍ୟାଣ୍ଡଚେକ ବିବାଦ ଚର୍ଚ୍ଚାରେ ରହିଥିଲା । ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ହାତ ମେଳାଇବାକୁ ମନା କରି ଦେଇଥିଲେ । ଏହାପରେ ପାକିସ୍ତାନ ମ୍ୟାଚ ରେଫରୀ ଆଣ୍ଡି ପାଇକ୍ରପ୍ଟଙ୍କୁ ହଟାଇବାକୁ ଦାବି କରିଥିଲେ । ହେଲେ ଆଇସିସି ଏମିତି କରିବାକୁ ମନା କରି ଦେଇଥିଲା । ଆଉ ଭାରତ-ପାକିସ୍ତାନ ମଧ୍ୟରେ ଆଜିର ସୁରପ-୪ ମୁକାବିଲା ପୂର୍ବରୁ ଆଇସିସି ପକ୍ଷରୁ ପାକିସ୍ତାନକୁ ମିଳିଛି ଆଉ ଏକ ବଡ଼ ଝଟକା ।
ଆଜିର ମ୍ୟାଚରେ ଆଣ୍ଡି ପାଇକ୍ରପ୍ଟ ହିଁ ମ୍ୟାଚ୍ ରେଫରୀ ରହିବେ ବୋଲି ଆଇସିସି ସ୍ପଷ୍ଟ କରି ଦେଇଛି । ସେପଟେ ହ୍ୟାଣ୍ଡସେକ ବିବାଦକୁ ନେଇ ଭାରତର ପୂର୍ବତନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ ଆଣ୍ଡିଙ୍କ ସମର୍ଥନରେ ବାହାରିଛନ୍ତି । ନିଜ ୟୁଟ୍ୟୁବ ଚ୍ୟାନେଲ ‘ଅଶ କୀ ବାତ୍’ରେ ଅଶ୍ବିନୀ କହିଛନ୍ତି, ଆଣ୍ଡି ପାଇକ୍ରପ୍ଟ ସମସ୍ତଙ୍କୁ ସବୁଠାରୁ ଖରାପ ପରିସ୍ଥିତି ଦେଖିବାରୁ ରକ୍ଷା କରିଛନ୍ତି । ଭାରତ ପକ୍ଷରୁ ଆରମ୍ଭରୁ ମ୍ୟାଚ୍ ରେଫରୀଙ୍କୁ ନିଜ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହାପରେ ତୁମେ ମ୍ୟାଚ୍ ହାରିଗଲ । ଏବେ ଅଭିଯୋଗ କେଉଁ କଥାକୁ ନେଇ କରୁଛ ।
ପାକିସ୍ତାନକୁ ଧୋଇଲେ ଅଶ୍ବିନୀ
ଏହାସହ ପାକସ୍ତାନକୁ ସମାଲୋଚନା କରିବା ସହ ଅଶ୍ବିନୀ କହିଛନ୍ତି, ଖେଳାଳିଙ୍କୁ ହାତ ମିଶାଇବାକୁ ରେଫରୀ ବାଧ୍ୟ କରିବା ଧାରଣ ସମ୍ପୂର୍ଣ୍ଣ ଭୁଲ । ସେ କୌଣସି ସ୍କୁଲର ଶିକ୍ଷକ କି ପ୍ରିନ୍ସପାଲ ନୁହଁନ୍ତି, ଆସିବି କହିବେ ହାତ ମିଶାଅ । ଏହା ତାଙ୍କ କାମ ନୁହେଁ, ତେଣୁ ସେ ଭୁଲ କେମିତି ହେଲେ ? ସେହିପରି ଆଇସିସି ମଧ୍ୟ ସ୍ପଷ୍ଟ କରି ସାରିଛି ପାଇକ୍ରପ୍ଟ ସ୍ବିରିଟ ଅଫ୍ ଦି ଗେମର ଉଲ୍ଲଂଘନ କରିନାହାନ୍ତି । ସେ କେବଳ ସେହି ସୂଚନା ପହଞ୍ଚାଇଛନ୍ତି ଯାହା ଏସିଆନ କ୍ରିକେଟ କାଉନସିଲ (ଏସିସି)ର ଭେନ୍ୟୁ ମ୍ୟାନେଜର ଦେଇଥିଲେ ।
ପାକିସ୍ତାନର ବାରମ୍ବାର ଅଭିଯୋଗ ପରେ ବି ଆଇସିସି ରବିବାର ଅର୍ଥାତ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ଏସିଆ କପର ସୁପର-୪ ମ୍ୟାଚର ରେଫରୀ ଭାବେ ନିଯୁକ୍ତି ଦେଇଛି । ଏହା ସ୍ପଷ୍ଟ କରୁଛି ଯେ, ଆଇସିସି ନିଜ ଏଲିଟ ପ୍ୟାନେଲକୁ ନେଇ ସ୍ପଷ୍ଟ ରହିଛି ଓ ପିସିବି ଦାବି ପରେ ବି ଚାପରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନାହିଁ ।