ଅନୁଗୁଳରେ ସାମୁହିକ ବିବାହ: ଜାତି, ଜାତକ ଓ ଯୌତୁକ ବିନା ପଡ଼ିଲା ହାତଗଣ୍ଠି

1 min read

ଅନୁଗୁଳ: ଗୋଟିଏ ଦିନରେ ଗୋଟିଏ ମଞ୍ଚରେ ବିବାହ । ଏଠି ନା ଥିଲା ଜାତି ଧର୍ମର ଭେଦଭାବ, ନା ରହିଛି ଜାତକର ଆବଶ୍ୟକତା ।  ବିନା ଯୌତୁକରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏମାନେ । ପ୍ରାଦେଶିକ ମାରଓ୍ୱାଡ଼ି  ସଂଘ ପକ୍ଷରୁ ଅନୁଗୁଳରେ ଗଣବିବାହ ଅନୁଷ୍ଠିତ ହୋଇ ଯାଇଛି । ୩୧ଟି ଯୋଡ଼ିଙ୍କୁ ସଂଘ ପକ୍ଷରୁ ବିବାହ କରାଯାଇଛି ।

ନାଲି ଶାଢୀ, ନାଲି ଚୁଡ଼ି ପିନ୍ଧି ସଜେଇ ହୋଇଛି କନିଆ । ବ୍ରାହ୍ମଣର ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ପୂରା ପରିବେଶ । ବୈଦିକ ରୀତି ନିତି ଅନୁସାରେ ଚାଲିଛି ବିବାହ । କିନ୍ତୁ ଟିକେ ନିଆରା । ପ୍ରାଦେଶିକ ମାରଓ୍ୱାଡ଼ି  ସଂଘ ପକ୍ଷରୁ ଅନୁଗୁଳରେ ଗଣବିବାହ ଅନୁଷ୍ଠିତ ହୋଇ ଯାଇଛି ।

ଜାତି, ଜାତକ, ଯୌତୁକ ବିନା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏମାନେ ।  ବିନା ବାଜା ଓ ରୋଷଣୀରେ ବର ଆସି କନିଆର ହାତ ଧରିଛି । ପରସ୍ପରକୁ ଫୁଲମାଳ ପିନ୍ଧାଇ ସାତ ଜନ୍ମର ସାଥୀ ହେବାକୁ ଉଭୟ ଉଭୟେଙ୍କୁ କଥା ଦେଇଛନ୍ତି । ଆର୍ଥିକ ଅନଗ୍ରସର ପୁଅ ଝିଅଙ୍କୁ ସଂଘ ପକ୍ଷରୁ ବିବାହ କରାଯାଇଥିବାରୁ ବର-କନ୍ୟା ଉଭୟେ ନିଜ ଖୁସି ବ୍ୟକ୍ତ କରିଛନ୍ତି ।

ସେପଟେ କନ୍ୟାଦାନ କରି ପୁଣ୍ୟ ଅର୍ଜନ କରିଥିବାରୁ କନ୍ୟାପିତା ମଧ୍ୟ ବେଶ ଖୁସି । ବିବାହ ପରେ ସଂଘ ପକ୍ଷରୁ ଭୋଜି ଭାତର ଆୟୋଜନ କରାଯାଇଥିଲା । ଏହାସହ ନବ ଦମ୍ପତ୍ତିଙ୍କୁ ଉପହାର ସ୍ୱରୂପ ଘର କରଣା ସାମଗ୍ରୀ ଦିଆ ଯାଇଥିଲା ।  କାର୍ଯ୍ୟକ୍ରମରେ ଉପବାଚସ୍ପତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସଂଘର ଏଭିଳି ପ୍ରୟାସକୁ ପ୍ରଶଂସା କରିଥିଲେ ।

Leave a Reply