ବଢ଼ିଲା ବ୍ରିଜ ଭୂଷଣ ଶରଣ ସିଂଙ୍କ ଅଡ଼ୁଆ, ଯୌନ ନିର୍ଯାତନା ଅଭିଯୋଗର ହେବ ତଦନ୍ତ

1 min read

ନୂଆଦିଲ୍ଲୀ: କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ହେବ ତଦନ୍ତ । ଏନେଇ ଏକ କମିଟି ଗଠନ କରିଛି ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏସନ । ଏହି କମିଟିର ଅଧ୍ୟକ୍ଷତା ମେରିକମ୍ କରିବେ । କମିଟିରେ ଅଲକନନ୍ଦା ଅଶୋକ, ଡୋଲା ବାନାର୍ଜୀ, ଯୋଗେଶ୍ୱର ଦତ୍ତ ଅଛନ୍ତି । ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିବା ବେଳେ ରେସଲରମାନେ ଦିଲ୍ଲୀର ଜନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଦେଶ ପାଇଁ ମେଡାଲ ଆଣି ଗର୍ବ ଆଣୁଥିବା କୁସ୍ତି ଯୋଦ୍ଧା ଆଜି ନ୍ୟାୟ ମାଗୁଛନ୍ତି । ଆତ୍ମସମ୍ମାନକୁ କ୍ଷତି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।

ସେପଟେ ରେସଲରଙ୍କ ବିକ୍ଷୋଭକୁ ରାଜନୈତିକ ଷଡ଼ଯନ୍ତ୍ର କହି ପ୍ରସଙ୍ଗକୁ ଆଡ଼େଇବାକୁ ଚେଷ୍ଟା କରିଛି WFI । କୁସ୍ତି ମହାସଂଘର ସଭାପତିଙ୍କ ଇସ୍ତଫା ଦାବିରେ କୁସ୍ତିଯୋଦ୍ଧା ଅଟଳ ରହିଥିବା ବେଳେ ଇସ୍ତଫା ଦେବେନି ବୋଲି ମନା କରିଦେଇଛନ୍ତି ବ୍ରିଜ ଭୂଷଣ ଶରଣ ସିଂ। ଅନ୍ୟପକ୍ଷରେ ରେସଲରଙ୍କ ଧାରଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ରୋ । ବିଜେପିର ମହିଳା ବ୍ରିଗେଡ ସାପ୍ତାହିକ ମୌନ ବ୍ରତ ପାଳନ କରୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଘଟଣାକୁ ନିନ୍ଦା କରିବା ସହ ବିଜେପି ଓ ସରକାର ନିଜ ନେତାଙ୍କୁ ଘୋଡ଼ାଉଛନ୍ତି ବୋଲି କହିଛି ଆମ ଆଦମୀ ପାର୍ଟି ।