ଭଗବାନ ଶିବଙ୍କ ସହିତ ବିବାହ କଲେ ଯୁବତୀ

1 min read

ନନ୍ଦିଘୋଷ ବ୍ୟୁରୋ :  ଶ୍ରାବଣରେ ଶିବଙ୍କୁ ବିବାହ କଲେ ଯୁବତୀ । ଏ ବିବାହ ଭକ୍ତ ସହ ଭଗବାନଙ୍କ  । ଭଗବାନ ଶିବଙ୍କୁ ବିବାହ କରିଛନ୍ତି ଝାନ୍ସୀର ୨୭ ବର୍ଷୀୟା ଯୁବତୀ ଗୋଲ୍ଡୀ ରାୟକବାର  ।  ଭଗବାନ ଶିବଙ୍କୁ ହିନ୍ଦୁ ରୀତିନୀତିରେ ନିଜ ସ୍ୱାମୀ ବନାଇଛନ୍ତି ଏହି ଯୁବତୀ । ଏହି ଭକ୍ତ ଏବଂ ଭଗବାନଙ୍କ ନିଆରା ବିବାହ ସମାରୋହରେ ଭଗବାନ ଶିବଙ୍କ ଲିଙ୍ଗକୁ ବର ବେଶରେ ସଜାଇ ରଥରେ ବସାଇ ବିବାହ ମଣ୍ଡପକୁ ଅଣାଯାଇଥିଲା ଏବଂ ଶିବଙ୍କୁ ବରମାଳା ପିନ୍ଧାଇ ବିବାହ କରିଥିଲେ ଯୁବତୀ ।

କେବଳ ଏତିକି ନୁହେଁ ,ଏହି ନିଆରା ବିବାହ ପାଇଁ କାର୍ଡ ବଣ୍ଟାଯିବା ସହ, ପୋଷ୍ଟର ମଧ୍ୟ ଲଗାଯାଇଥିଲା  ।  ଭଗବାନ ଶିବଙ୍କ ପକ୍ଷରୁ ବରଯାତ୍ରୀ ମଧ୍ୟ ଆସିଥିଲେ ଏବଂ ସେମାନଙ୍କ ପାଇଁ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା । ଏହି ନିଆରା ବାହାଘର ଝାନ୍ସୀର ବଡ଼ଗାଁ ସ୍ଥିତ ଏକ ବ୍ରହ୍ମକୁମାରୀ ଆଶ୍ରମରେ ଆୟୋଜିତ ହୋଇଥିଲା ।

ଏହି ଯୁବତୀ ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ବ୍ରହ୍ମକୁମାରୀ ଛାତ୍ରାବାସରେ ରହି B.Com ପଢିବା ସହ ଆଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରୁଥିଲେ  । ପରେ ଝାନ୍ସୀ ଆସି ବଡ଼ଗାଁ ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟରେ ଈଶ୍ୱରଙ୍କ ସେବାରେ ନିୟୋଜିତ ହୋଇଥିଲେ । ଗୋଲ୍ଡୀଙ୍କ କହିବା ଅନୁଯାୟୀ ସେ, ମୀରାବାଇ ଯେପରି ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱାମୀ ଭାବୁଥିଲେ ସେହିପରି ସେ ମଧ୍ୟ ଭଗବାନ ଶିବଙ୍କୁ ବିବାହ କରିବାକୁ ପିଲାଦିନରୁ ଚାହୁଁଥିଲେ । ଆଉ ସେ ଶିବଙ୍କୁ ବିବାହ କରି ବହୁତ ଖୁସି ଅଛନ୍ତି ଓ ସେ ସବୁବେଳେ ତାଙ୍କ ସାଥିରେ ରହିବେ ।