ଆଇସିୟୁରେ ବାହାଘର

ନନ୍ଦିଘୋଷ ବ୍ୟୁରୋ: ହସପିଟାଲରେ ନିକାହ ଓ କବୁଲନାମା । ଆଇସିୟୁରେ ବାପା। ଭେଣ୍ଟିଲେଟର ସପୋର୍ଟରେ ଜୀବନ । ଆଉ କାଳବିଳମ୍ବ ନକରି ନିଜର ବିବାହ ସାରିଦେଲେ ଦୁଇ ଝିଅ । ବାପାଙ୍କ ଉପସ୍ଥିତି ଓ ଆଶୀର୍ବାଦ ଆଶାରେ ଆଇସିୟୁ ଭିତରେ ହିଁ ବିବାହ କଲେ ଦୁଇ ଭଉଣୀ । ଏପରି ଏକ ପିତୃପ୍ରେମର ନିଆରା ନିଦର୍ଶନ ଦେଖିବାକୁ ମିଳିଛି ଲକ୍ଷ୍ନୌର ଏକ ଘରୋଇ ହସପିଟାଲର ଆଇସିୟୁରେ । ଦୁଇ ଭଉଣୀଙ୍କର ଜୁନ ୨୨ ତାରିଖରେ ବିବାହ ହେବାର ଥିଲା । ହେଲେ ଗତ ୮ ତାରିଖରେ ବାପା ୫୫ ବର୍ଷୀୟ ସୁଫି ସୟଦ ଜୁନୈଦ ସାବ୍ରି ହଠାତ ଅସୁସ୍ଥ ହୋଇ ଶେଷରେ ଭେଣ୍ଟିଲେଟର ସହାୟତାରେ ଆଇସିୟୁରେ ଆଡମିଟ ହେବାକୁ ପଡିଲା । ଏପରିସ୍ଥିତିରେ ସୁଫିଙ୍କ ଦୁଇ ଝିଅ ଡାକ୍ତର ଦର୍କ୍ଷ୍ଯ ସୟଦ ଓ ତାଞ୍ଜିଲା ସୟଦ ଆଇସିୟୁରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏହାକୁ ହସପିଟାଲ କର୍ତ୍ତୃପକ୍ଷ ସମର୍ଥନ କରି ତୁରନ୍ତ ବିବାହ ପ୍ରସ୍ତୁତି କରିଥିଲେ। ଏକ ସ୍ବତନ୍ତ୍ର ରୁମରେ ବିବାହ ବ୍ଯବସ୍ଥା କରାଯାଇଥିଲା । ଯେଉଁଥିରେ ୫ ଜଣ ସଂପର୍କୀୟ ନିକାହବେଳେ ଉପସ୍ଥିତ ଥିଲେ । ବାପା ସେମାନଙ୍କ ପୂରା ଦୁନିଆ କହିଲେ ଅତ୍ଯୁକ୍ତି ହେବନାହିଁ । ଆମେ ତାଙ୍କ ଆଶୀର୍ବାଦ ବିନା ବିବାହ କରିପାରିନଥାନ୍ତୁ ବୋଲି କହିଛନ୍ତି ଝିଅ ଦର୍କ୍ଷ୍ଯ ସୟଦ । ଗତ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ସମସ୍ତ ରୀତିନୀତି କରାଯାଇଥିଲା । ଆଗକୁ ଭୋଜିଭାତ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।