ନିୟନ୍ତ୍ରଣ ବାହାରେ ଦରଦାମ, ବଜାର ଗଲେ ପୁରୁନି ବ୍ୟାଗ

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କୁ ବାଧୁଛି ଦରଦାମ ବୃଦ୍ଧି। ହୁ ହୁ ହୋଇ ବଢିଚାଲିଛି ଦୈନନ୍ଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦାମ । ଡାଲି, ଚାଉଳ, ପରିବା ଏପରିକି ଆଳୁ ପିଆଜ ଭଳି ନିହାତି ଆବଶ୍ୟକ ଖାଉଟି ସାମଗ୍ରୀ ଦର ବୃଦ୍ଧିକୁ ନେଇ ଅତିଷ୍ଠ ହେଲେଣି ସାଧାରଣ ଲୋକେ। ବ୍ୟବସାୟୀ ମଧ୍ୟ ଦରବୃଦ୍ଧିକୁ ନେଇ ଅସନ୍ତୋଷ ଝାଡିଥିବା ବେଳେ, ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି।

ଆଳୁ ୪୦ ଟଙ୍କାକୁ ପିଆଜ ୪୫। ୫୦ ଟଙ୍କା ତଳେ ନାହିଁ କୌଣସି ପରିବା ଦର। ଅଧିକାଂଶ ପରିବା ଦର ଶହେ ଉପରେ। ବଜାର ଗଲେ ପୁରୁନି ବ୍ୟାଗ। ଦାମ ଶୁଣି ଚମକି ପଡୁଛନ୍ତି ଗ୍ରାହକ। କଣ ଖାଇବେ, କଣ କିଣିବେ। ପ୍ରତିଦିନ ବଢ଼ି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଯାହାକୁ ନେଇ ଛଟପଟ ହେଲେଣି ଗରିବ ଓ ମଧ୍ୟବିତ୍ତ ପରିବାର। ପରିବା ଦର ବଢ଼ୁଥିବା ବେଳେ, ଆଳୁ ପିଆଜରେ କାମ ଚଳାଇ ଦେଉଥିଲେ ଅନେକ ପରିବାର। ହେଲେ ସେତକ ବି କିଣିବା ସମ୍ଭବ ହେଉନି। ବେଶି ନୁହେଁ, ବରଂ ଆବଶ୍ୟକତା ଠାରୁ କମ କିଣି ପରିବାର ଚଳାଇବାକୁ ପଡୁଛି। ଦରଦାମ ଆକାଶଛୁଆଁ ହୋଇଥିବା ବେଳେ, ଅସନ୍ତୋଷ ଝାଡିଲେଣି ଖାଉଟି।

ସେପଟେ ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ଏଭଳି ଦରବୃଦ୍ଧିକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ବ୍ୟବସାୟ ଉପରେ ସିଧାସଳଖ ପ୍ରଭାବ ପକାଇଛି ଦରଦାମ। ଛୋଟ ବ୍ୟବସାୟୀଙ୍କ କହିବା କଥା, ଆଗକୁ ଆହୁରି ବଢ଼ିପାରେ ଆଳୁ ପିଆଜ ରେଟ୍। ସେହିପରି ଦର ବୃଦ୍ଧିକୁ ଅପ୍ରତ୍ୟାଶିତ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ନେତା। ସାଧାରଣତଃ ଅକ୍ଟୋବର ମାସରେ ଏଭଳି କିଛି ଦେଖିବାକୁ ମିଳେ। କିନ୍ତୁ ଏବେ ଏହି ଦର ବୃଦ୍ଧିକୁ ନାପସନ୍ଦ କରିଛି ବ୍ୟବସାୟୀ ସଂଘ । ତେଣୁ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ ଦର ବହୁ ଉଚ୍ଚା ଥିବା ବେଳେ, ପ୍ରତ୍ୟେକ ମୁହୂର୍ତ୍ତରେ ବଢି ବଢି ଚାଲିଛି ଖାଇବା ପାଇଁ ଆବଶ୍ୟକ ସାମଗ୍ରୀର ଦାମ । ଯାହାକି ଖାଉଟିଙ୍କୁ ଦେଉଛି ଝଟକା ପରେ ଝଟକା। ତେଣୁ ଏହି ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାକୁ ନିବେଦନ କରିଛନ୍ତି ସାଧାରଣ ଲୋକେ।