ପଟିଆଲାରେ ଉତ୍ତେଜନା, ଫାଙ୍କା ଗୁଳି ଚାଲନା କଲା ପୁଲିସ୍‌

ପଟିଆଲା: ପଞ୍ଜାବର ପଟିଆଲାରେ ଶନିବାର ସକାଳ ସୁଦ୍ଧା  କର୍ଫ୍ୟୁ ଜାରି ହୋଇଛି । ସୂଚନା ଅନୁସାରେ, ପାତିଆଲାସ୍ଥିତ କାଳୀ ମନ୍ଦିର ନିକଟରେ ଶିବସେନା ପକ୍ଷରୁ ଶୁକ୍ରବାର ଏକ ଖଲିସ୍ଥାନ ବିରୋଧୀ ଶୋଭାଯାତ୍ରା ବାହାର କରାଯାଇଥିଲା । ଏଥିରେ ବାରମ୍ବାର ଖଲିସ୍ଥାନ ମୁର୍ଦ୍ଦାବାଦ ସ୍ଲୋଗାନ ଦିଆଯାଇଥିଲା । ଏହା ବିରୋଧରେ କେତେକ ଶିଖ୍‌ ସଂଗଠନ ରାସ୍ତାକୁ ଓହ୍ଲାଇ ସେମାନଙ୍କ ବିରୋଧ କରି ଖଣ୍ଡା ବୁଲାଇଥିଲେ । ଯାହାଦ୍ୱାରା ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା । ପ୍ରବଳ କନ୍ଦଳ ମଧ୍ୟରେ ପୁଲିସ ଆକାଶରେ ଫାଙ୍କା ଗୁଳିଚାଳନା କରିଥିଲା । ତେବେ ସ୍ଥିତି ସମ୍ଭାଳିବାକୁ  ସଂଧ୍ୟା ୭ଟାରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହୋଇଛି ।

ପଟିଆଲା ରେଞ୍ଜ୍‌ ଇନ୍ସପେକ୍ଟର ଜେନରାଲ ରାକେଶ ଅଗ୍ରଓ୍ୱାଲଙ୍କ କହିବା ହେଉଛି ଯଦିଓ ସ୍ଥିତି ପ୍ରଥମେ ନିୟନ୍ତ୍ରଣକୁ ଆସୁନଥିଲା, କିନ୍ତୁ ପରେ  ଫାଙ୍କା ଗୁଳିଚାଳନା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଲା । ପଟିଆଲା ଡିଏସପି କହିଛନ୍ତି ଯେ ଏହି ଶୋଭାଯାତ୍ରା ବାହାର କରିବା ପାଇଁ ଶିବସେନାକୁ କୌଣସି ଅନୁମତି ଦିଆଯାଇନଥିଲା । ଏ ସଂପର୍କରେ ଶିବସେନା ପଞ୍ଜାବର କାର୍ଯ୍ୟକାରୀ ସଭାପତି ହରିଷ ସିଂଗଲାଙ୍କୁ ପଚରାଉଚୁରା ଚାଲିଛି ।

ସୂଚନାଯୋଗ୍ୟ ଯେ ଏପ୍ରିଲ ୨୯କୁ ଖଲିସ୍ଥାନ ଆତଙ୍କବାଦୀମାନେ ଖଲିସ୍ଥାନ ସ୍ଥାପନା ଦିବସ ପାଳନ କରୁଛନ୍ତି । ଏହା ଉପଲକ୍ଷେ ଆତଙ୍କବାଦୀ ଗୁରପଟଓ୍ବାନ୍ତ ସିଂ ପନ୍ନୁ  ପଂଜାବ, ହରିୟାଣା ଓ ହିମାଚଳ ପ୍ରଦେଶରେ ଖଲିସ୍ତାନ ପତାକା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ବିରୋଧରେ ଶିବସେନା ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା ।