ନିଆରା ସାଇକେଲ ଧରି ମନୋଜ ବାଣ୍ଟୁଛନ୍ତି ବାପୁଙ୍କ ବାର୍ତ୍ତା

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନକୁ ପୂରିଛି ୧୦୦ ବର୍ଷ । ଅତୀତର ସ୍ମୃତିକୁ ସାଉଁଟିଛି ଓଡିଶା । ରାଜ୍ୟର କୋଣ ଅନୁକୋଣରେ ଆୟୋଜିତ ହେଉଛି ଗାନ୍ଧୀ ସଭା । ଏହି ସମୟରେ ରାଜଧାନୀର ଜଣେ ଯୁବକ ନିଆରା ଢଙ୍ଗରେ ବାପୁଙ୍କୁ ମନେ ପକାଇଛନ୍ତି । ସ୍ୱତନ୍ତ୍ର ଡିଜାଇନର ସାଇକେଲ ଧରି ସହର ଗଲି କନ୍ଦି ବୁଲି ବାଣ୍ଟୁଛନ୍ତି ଶାନ୍ତି ଓ ସଦ୍‌ଭାବନାର ବାର୍ତ୍ତା ।

ରାଜଧାନୀରେ ଗଡୁଛି ନିଆରା ସାଇକେଲ । ସାଇକେଲର ଉଚ୍ଚତା ୫ ଫୁଟ । ସାଇକେଲର ଚେନ ବି ଉପରମୁହାଁ । ସାଇକେଲ ଚଲାଇ ବାପୁଙ୍କ ବାର୍ତ୍ତା ବାଣ୍ଟୁଛନ୍ତି ମନୋଜ । ଗତ କିଛି ଦିନ ହେବ ରାଜଧାନୀରେ ସାଇକେଲିଆଙ୍କ ସଂଖ୍ୟା ବଢିଛି । ଭଳିକି ଭଳି ସାଇକେଲ ଚଲାଇ ଫିଟ୍‌ ରହିବାକୁ ଚେଷ୍ଟା କରୁଛନ୍ତି ଭୁବନେଶ୍ୱରବାସୀ । କିନ୍ତୁ ଏଭଳି ସାଇକେଲ ଆପଣ ବୋଧ ହୁଏ ପୂର୍ବରୁ କେବେ ଦେଖିନଥିବେ । ଯିଏ ଥରେ ଦେଖୁଛି ତା ଆଖି ଲାଖିଯାଉଛି । ସାଇକେଲର ଉଚ୍ଚତା ୫ ଫୁଟ । ଦୁଇଟି ଚକରେ ଗଡୁଥିବା ଏହି ସାଇକେଲରେ ଦୁଇଟି ସାଇକେଲର ଫ୍ରେମ ଲାଗିଛି । ପ୍ୟାଡେଲ ବି ୩ ଫୁଟ ଉପରେ । ଚେନର ଡିଜାଇନ ବି ଭାରି ନିଆରା । ଆଉ ଏହି ସାଇକେଲରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶାନ୍ତି ଓ ସଦଭାବନାର ବାର୍ତ୍ତା ବାଣ୍ଟୁଛନ୍ତି ମନୋଜ ।

ସାଙ୍ଗ ସାଥିଙ୍କ ସହ ମିଶି ଏହି ଡବଲ ଫ୍ରେମର ସାଇକଲେକୁ ତିଆରି କରିଛନ୍ତି ମନୋଜ । ଲକଡାଉନ ସମୟରେ ଦୁଇଟି ପୁରୁଣା ସାଇକେଲ କିଣି ଏହି ସାଇକେଲ ତିଆରି କରାଯାଇଛି । ସାଇକେଲ ଚଢିବା ଓ ଓହ୍ଲାଇବା ବେଳେ ଟିକେ ସମସ୍ୟା ହେଉଥିଲେ ବି ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ପ୍ରୟାସ କରାଯାଇଥିବା ମନୋଜ କହିଛନ୍ତି । ସାଇକେଲ କ୍ୟାରିଅରରେ ମ୍ୟୁଜିକ୍‌ ସିଷ୍ଟମ ଖଞ୍ଜା ଯାଇଥିବା ବେଳେ ବାପୁଙ୍କ ସ୍ମୃତିରେ ବାଜୁଛି ଗୀତ ଓ ଭାରତ ମାତା କି ଜୟ ସ୍ଲୋଗାନ । ମନୋଜଙ୍କର ଏହି ନିଆରା ପ୍ରୟାସକୁ ଅନେକ ପ୍ରଶଂସା କରିଛନ୍ତି ।

Leave a Reply