ଏସସିବିରେ ହେଲା ମଞ୍ଜୁଳାଙ୍କ ହାତର ପ୍ଲାଷ୍ଟିକ ସର୍ଜରୀ

Manjula's Hand Plastic Surgery In Cuttack SCB

କଟକ: କଟକ ଏସସିବି ବଡ଼ ମେଡିକାଲରେ ଚାଲିଛି ନବରଙ୍ଗପୁର ରାଇଘରର ଝିଅ ମଞ୍ଜୁଳାର ଚିକିତ୍ସା । ରାଇଘର ବ୍ଲକର ହଳଦୀ ପଞ୍ଚାୟତ ବାଲିଝର ଗାଁର ୯ ବର୍ଷର ମଞ୍ଜୁଳାକୁ ମାସେ ତଳେ ସାପ କାମୁଡ଼ି ଦେଇଥିଲା । ତାର ଡାହାଣ ହାତ ପଚି ଯାଇଥିବା ବେଳେ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଏସସିବିର ଡାକ୍ତର । ଆଜି ମଞ୍ଜୁଳାଙ୍କ ପେଟରୁ ମାଂସ ନେଇ ଆଙ୍ଗୁଠି ଓ ପଚି ଯାଇଥିବା ହାତର କିଛି ଅଂଶରେ ପକାଇଛନ୍ତି । ୩ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ହାତର ସ୍ଥିତି ଦେଖି ଅସ୍ତ୍ରୋପଚାର କରାଯିବ ବୋଲି କହିଛନ୍ତି ପ୍ରଫେସର ଡାକ୍ତର ବିଭୁତି ଭୂଷଣ ନାୟକ ।

ଏଥିସହ ପଢ଼ନ୍ତୁ: ଏସ୍‌ସିବିରେ ପହଞ୍ଚିଲା ସର୍ପ ଦଂଶନରେ ଅସୁସ୍ଥ ମଞ୍ଜୁଳା: ସୁସ୍ଥ ହେବା ଆଶାରେ ସାପକୁ ବନ୍ଦୀ ରଖିଥିଲେ ପରିବାର ଲୋକେ

୯ ବର୍ଷର ଝିଅ ମଞ୍ଜୁଳାକୁ ମାସକ ତଳେ ଏକ ନାଗ ସାପ କାମୁଡ଼ି ଦେଇଥିଲା । ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ନିଆଯାଇଥିଲା । ନବରଙ୍ଗପୁରରେ ଗୋଟିଏ ଦିନ ଚିକିତ୍ସା ପରେ ସେଠାରୁ ତାକୁ ପରିବାର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନେଇଥିଲେ । ସେଠାରେ ଡାକ୍ତର ୩ ଦିନ ଚିକିତ୍ସା କରିବା ପରେ ଝିଅର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଝିଅକୁ ବ୍ରହ୍ମପୁର ନେବାପାଇଁ ପରାମର୍ଶ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ୯ ବର୍ଷର ଝିଅକୁ ସାପ କାମୁଡ଼ିବାରୁ ନାଗ ସାପକୁ ବନ୍ଦୀ କଲେ ପରିବାର

ଆର୍ଥିକ ସମ୍ବଳ ନଥିବାରୁ ଝିଅକୁ ଧରି ଘରକୁ ଫେରି ଆସିଥିଲେ ପରିବାର ଲୋକ । ଆଉ ସେବେଠୁ ମାସାଧିକ ସମୟ ଯନ୍ତ୍ରଣା ଜର୍ଜରିତ ଜୀବନ କାଟୁଥିଲା ମଞ୍ଜୁଳା । ଏନେଇ ନନ୍ଦିଘୋଷ ଟିଭିରେ ଗତ ୧୩ ତାରିଖରେ ଖବର ପ୍ରସାରଣ ପରେ ପ୍ରଶାସନ ଆକ୍ସନ ମୋଡକୁ ଆସିଥିଲା । ୧୪ ତାରିଖରେ ମଞ୍ଜୁଳାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯାଇଛି । ମଞ୍ଜୁଳାଙ୍କ ଚିକିତ୍ସା ଖର୍ଚ୍ଚା ସମ୍ପୂର୍ଣ୍ଣ ମାଗଣାରେ ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Leave a Reply