ଟାକୁଆ ଟ୍ରାଜେଡି : ‘କାହିଁକି ମୁଖ୍ଯମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ସ୍ବାସ୍ଥ୍ଯମନ୍ତ୍ରୀ ଯାଇ ନାହାଁନ୍ତି ମାଣ୍ଡିପଙ୍କା ?’
1 min readଭୁବନେଶ୍ବର : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ଯୁ ଘଟଣାରେ ତେଜିଲା ପ୍ରତିବାଦ । ଚାଉଳ ଦିଆଯାଇଥିବା କହି ଘୋଷି ହେଉଥିବା ରାଜ୍ଯ ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ବାମଦଳ । ସିପିଆଇ, ସିପିଆଇଏମ, ସିପିଆଇଏମ୍ଏଲ୍ ଓ ଅଲ ଇଣ୍ଡିଆ ଫରୱାର୍ଡ ବ୍ଳକ୍ ପିଏମଜିରେ କରିଛନ୍ତି ପ୍ରତିବାଦ । ଘଟଣାକୁ ଏତେ ଦିନ ବିତିଥିବାବେଳେ ସରକାର କିନ୍ତୁ ଆରଡିସି ତଦନ୍ତ କହିଦେଇ ଚୁପ । ଏହାକୁ ନେଇ ବର୍ଷିଛନ୍ତି ବାମ ଦଳ । ସାଥ ଦେଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଏଯାଏଁ କାହିଁକି ଘଟଣା ସ୍ଥଳକୁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଯୋଗଣ ମନ୍ତ୍ରୀ ଯାଇ ନାହାଁନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଓ ବିଜେଡି । ଓଡ଼ିଶାରେ ଆଦିବାସୀମାନେ ଖାଦ୍ୟ ନପାଇ ଆମ୍ବ ଟାକୁଆ ଖାଇବା ମୃତ୍ୟୁ ବରଣ କରିବା ଓଡ଼ିଶାକୁ ନିନ୍ଦିତ କରିଛି l ହେଲେ ଟାକୁଆ ଜାଉ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କହି ବିଜେପି ନେତା ଓ ମନ୍ତ୍ରୀମାନେ ଉପହାସ କରିବାରେ ବ୍ୟସ୍ତ । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, ଭାରତର ରାଷ୍ଟ୍ରପତି ବି ଓଡ଼ିଶାର ଜଣେ ଆଦିବାସୀ ମହିଳା । ଏପରି ସ୍ଥିତିରେ ସେମାନେ ଆମ୍ବ ଟାକୁଆ ଜାଉ ଖାଆନ୍ତି କି ବୋଲି ପ୍ରଶ୍ନ ଉଠିଛି । ଚାଉଳ ନ ମିଳିବାରୁ ସେମାନେ ଆମ୍ବ ଟାକୁଆ ଖାଇଲେ । ହେଲେ ସରକାର ଏହି ସମ୍ବେଦନଶୀଳ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଚାଉଳ ବଣ୍ଟନ ଠିକ ଭାବେ ହୋଇଥିଲେ, ଦୁଇଟି ଜୀବନ ଯାଇ ନଥାନ୍ତା । ଖାଦ୍ୟ ବଣ୍ଟନ ପ୍ରକ୍ରିୟାରେ ଆରଡିସି ଓ ଜିଲ୍ଲାପାଳ ବି ସଂପୃକ୍ତ ଥିବାରୁ ଆରଡିସି ସ୍ତରୀୟ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତ ବିରୋଧୀ ।
ସେପଟେ ଏଭଳି ଦୁର୍ଭାଗ୍ୟଜନକ ଘଟଣାର ପ୍ରତିବାଦରେ ଆଜି ସକାଳେ ବାମପନ୍ଥୀ ଦଳଗୁଡିକ ଗଣଧାରଣା ଦେଇଥିଲେ । ପ୍ରତିବାଦ ସଭାକୁ ବିଜେଡି ବି ସମର୍ଥନ ଜଣାଇ ପୂର୍ବତନ ଅର୍ଥ ମନ୍ତ୍ରୀ ଶଶୀ ବେହେରାଙ୍କୁ ପଠାଇଥିଲା । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବି ଯୋଗ ଦେଇଥିଲେ । ପାଞ୍ଚ ମାସରେ ହିଁ ସବୁ କ୍ଷେତ୍ରରେ ବିଫଳ ରାଜ୍ୟ ସରକାର । ନବୀନ ସରକାରଙ୍କ ଖାଦ୍ଯ ସୁରକ୍ଷା ଯୋଜନାକୁ ନୂଆ ସରକାର ଖିଲାଫ କରିଥିବାରୁ ଦୁଇ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଇକେଓ୍ବାଇସି ନାଁରେ ଭୂତ ହିତାଧିକାରୀ କହି ରାଜ୍ୟ ସରକାର ରାସନ କାର୍ଡ କାଟି ଚାଲିଲେ । ସେଥିପାଇଁ ଅନେକ ଲୋକ ଚାଉଳ ପାଉ ନଥିବା କଂଗ୍ରେସ ଅଭିଯୋଗ କରିଛି । ଦିନେ ଭୋକର ଭୂଗୋଳର କଳଙ୍କ ମୁଣ୍ଡାଉଥିଲା ଅଭାବୀ ଓଡ଼ିଶା । ହେଲେ ନବୀନ ଆସି ସମସ୍ତଙ୍କ ଲାଗି ଖାଦ୍ଯ ସୁନିଶ୍ଚିତ କରିଥିଲେ । ହେଲେ ଶାସନକୁ ଆସୁ ଆସୁ ଖାଦ୍ୟ ଅଭାବ ସୃଷ୍ଟି କରିଥିବା ରାଜ୍ୟ ସରକାର ଓଡ଼ିଶାକୁ ପୁଣି ଥରେ ଭୋକର ଭୂଗୋଳକୁ ଠେଲି ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।