ମାନସ ସ୍ୱାଇଁ ହତ୍ୟା ଗୁମର ଉପରୁ ହଟିବ କଳା ପରଦା, ଆଜିଠୁ ୫ ଦିନିଆ ରିମାଣ୍ଡରେ ଯିବେ ୪ ଅଭିଯୁକ୍ତ

ଭଦ୍ରକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଉପରୁ ଉଠିବ ପରଦା । ଆଜିଠୁ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସହ ଝୁନା, ନିରଞ୍ଜନ ଓ ରଞ୍ଜନଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଚାନ୍ଦବାଲି କୋର୍ଟ ଅନୁମତି ଦେଇଛନ୍ତି । ୧୦ ଦିନ ରିମାଣ୍ଡରେ ନେବାକୁ ଜେଏମଏଫସି କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ୧୦ ଦିନ ବଦଳରେ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ । କାହିଁକି କ୍ୟାମେରା ମ୍ୟାନ ମାନସ ସ୍ବାଇଁଙ୍କୁ ହତ୍ୟା କରିଥିଲେ ଶର୍ମିଷ୍ଠା । କେମିତି ମର୍ଡର ପ୍ଲଟ୍ ପ୍ରସ୍ତୁତ କରିଥିଲେ ଶର୍ମିଷ୍ଠା ଆଣ୍ଡ କୋ ? କ୍ରାଇମ ପ୍ଲାନ୍‌ରେ କିଏ କିଏ ପାର୍ଟନର ଥିଲେ? ମେମୋରି ଚିପ କାହା ପାଖରେ ଅଛି? ମୋମୋରି ଚିପରେ କଣ ସବୁ ରହିଛି? ଏହି ସବୁ ପ୍ରଶ୍ନକୁ ନେଇ ତଥ୍ୟ ଓଗାଳିବ କ୍ରାଇମବ୍ରାଞ୍ଚ ।

କେବଳ ଏତିକିରେ ଅଭୁଯୁକ୍ତ ସୀମିତ ନା ଆଉ କିଏ ଏଥିରେ ରହିଛି ଏସବୁ ଉପରୁ ପରଦା ଉଠାଇବ କ୍ରାଇମବ୍ରାଞ୍ଚ । ଗତକାଲି ୨ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନୁଙ୍କୁ ଗିରଫ ପରେ ଜେଏମଏଫସି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ଉଭୟଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ଚାନ୍ଦବାଲିର ଜେଏମଏଫସି କୋର୍ଟ । ଗତକାଲି କୋଲକାତାରୁ ବସ୍ ଯୋଗେ ଭୁବନେଶ୍ବର ଫେରିବା ସମୟରେରେ ଭଦ୍ରକ ନାଳାଙ୍ଗରୁ ଦୁଇ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।