ରାଜ୍ୟସଭାରେ ସାର ପ୍ରସଙ୍ଗ ଉଠାଇଲେ ସାଂସଦ ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭାରେ ଆଜି ସାର ପ୍ରସଙ୍ଗ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ସେ ପ୍ରଶ୍ନ କରିଛନ୍ତି, ଓଡ଼ିଶାରେ ସାରର ସୁଷମ ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ ହୋଇଛି କି । ଯଦି କରାଯାଇଛି, ସେହି ପ୍ଲାଟଫର୍ମଗୁଡ଼ିକର ବିବରଣୀ ଓ ସେଗୁଡ଼ିକର ସଫଳତା, ଦୁର୍ଗମ ଅଂଚଳର ଚାଷୀମାନଙ୍କ ପାଇଁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ମାନସ ମଙ୍ଗରାଜ। ଏହାର ଉତ୍ତରରେ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ସମନ୍ବିତ ସାର ଯୋଗାଣ ପରିଚାଳନା ବ୍ଯବସ୍ଥା ୨୦୧୬ ମସିହା ଜୁନ ମାସରୁ ଆରମ୍ଭ ହୋଇଛି। ଉର୍ବରକ ନାମରେ ଏକ ଡ୍ଯାସବୋର୍ଡ ଜରିଆରେ ସାରର ଯୋଗାଣ ଓ ମହଜୁଦ ସମ୍ପର୍କରେ ସୂଚନା ଦିଆଯାଇଥାଏ । ବର୍ତ୍ତମାନ ସୁଦ୍ଧା ରାଜ୍ଯର ଦୁର୍ଗମ ଅଂଚଳରେ ସାର ନ ପହଂଚିବାର କୌଣସି ସୂଚନା ନାହିଁ।ସେହିଭଳି ମାନସ ମଙ୍ଗରାଜଙ୍କ ଅନ୍ଯ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବରୁ କୃଷି ଓ କୃଷକ କଲ୍ଯାଣ ବିଭାଗ ପକ୍ଷରୁ ସବୁ ରାଜ୍ଯ ସରକାରଙ୍କ ସହ ଆଲୋଚନା କରି ଆବଶ୍ଯକ ପରିମାଣର ସାର ସମ୍ପର୍କରେ ତଥ୍ଯ ହାସଲ କରାଯାଏ। ନିୟମିତ ବ୍ଯବଧାନରେ ସାର ଓ ରସାୟନ ମନ୍ତ୍ରଣାଳୟ ଏବଂ କୃଷି ଓ କୃଷକ କଲ୍ଯାଣ ମନ୍ତ୍ରାଳୟ ପକ୍ଷରୁ ଯୁଗ୍ମ ଭାବେ ଭିଡିଓ ମାଧ୍ୟମରେ ତଦାରଖ କରାଯାଏ ବୋଲି ମନ୍ତ୍ରୀ କହିଛନ୍ତି।