ଜେନେଟିକ୍ ଇଂଜିନିୟରଙ୍କ ଦାବି : ୨୦୪୫ ବେଳକୁ ମରଣ ଆସିବ ମଣିଷ ଇଛାରେ,ବୟସ ବୃଦ୍ଧିକୁ ରୋକିହେବ

1 min read

ବାର୍ସିଲୋନା(ସ୍ପେନ୍): ମହାଭାରତର ଭିଷ୍ମଙ୍କୁ ମିଳିଥିଲା ଇଛାମୃତ୍ୟୁର ବରଦାନ । ଭୀଷ୍ମ ନିଜ ଇଛାରେ ହିଁ ମରିପାରିବେ ତା’ପୂର୍ବରୁ ତାଙ୍କୁ ମରଣ ଛୁଇଁ ପାରିବ ନାହିଁ ବୋଲି ତାଙ୍କୁ ମିଳିଥିଲା ବରଦାନ । ଅମରତ୍ୱର ସନ୍ଧାନ ସବୁବେଳେ ମାନବ ଜାତିର ଇଛା ରହି ଆସିଛି । ଚେଙ୍ଗିଜ୍ ଖାନଠାରୁ ଆଧୁନିକ  ଯୁଗର ବୈଜ୍ଞାନିକ ମୃତ୍ୟୁ ଉପରେ ବିଜୟ ଚାହିଁ ଆସିଛନ୍ତି । ତେବେ ସ୍ପେନର ଦୁଇ ଜଣ ଜେନେଟିକ୍ ଇଂଜିନିୟରଙ୍କ ଦାବି ହେଉଛି ଇଛାମୃତ୍ୟୁ କିମ୍ବା ଅମରତ୍ୱ ଆଗକୁ ସତ ହେବାକୁ ଯାଉଛି ।

ବାର୍ସିଲୋନାର ଏହି ଦୁଇ ଜେନେଟିକ୍ ଇଂଜିନିୟର ନିଜର ପୁସ୍ତକ ‘ଡେଥ୍ ଅଫ୍ ଡେଥ୍’ ବା ମୃତ୍ୟୁର ମୃତ୍ୟୁରେ ଏଭଳି ଦାବି କରିଛନ୍ତି । ସେମାନଙ୍କ ଦାବି ଯେ, ଆଗାମୀ ୨୫ ବର୍ଷ ମଧ୍ୟରେ ଏଭଳି କିଛି ହେବାକୁ ଯାଉଛି । ସେମାନଙ୍କ ଅନୁସାରେ ୨୦୪୫ ବେଳକୁ ମୃତ୍ୟୁ ଇଛାଧିନ ହେବ । ଅର୍ଥାତ ଆପଣଙ୍କ ମରିବା ଆପଣଙ୍କ ଇଛା ଉପରେ ନିର୍ଭର କରିବ । ବୟସ ବଢିବାକୁ ଜେନେଟିକ୍ ଇଂଜିନିୟରିଂ ଦ୍ୱାରା ରୋକା ଯାଇପାରିବ । ଏଭଳି କିଛି ଦାବି କରିଛନ୍ତି ଭେନେଜୁଏଲରା ଜନ୍ମ ହୋଇଥିବା ଜୋସ୍ ଲୁଇ କୋରଡୈରୋ ଓ କେମ୍ବ୍ରିଜର ଗଣିତଜ୍ଞ ଡେଭିଡ୍ ବୁଡ୍  । ସେମାନଙ୍କ ଆଉ ଏକ ପରିଚୟ ହେଉଛି ଉଭୟ ସିମ୍ବିଆନ ଅପରେଟିଂ ସିଷ୍ଟମର ପ୍ରତିଷ୍ଠାତା ।

ଅମର ହେବାର ବୈଜ୍ଞାନିକ ସମ୍ଭାବନା

ନିଜ ପୁସ୍ତକ ଡେଥ୍ ଅଫ୍ ଡେଥରେ ଲେଖିଛନ୍ତି ଯେ, ଅମର ରହିବା ଏକ ବାସ୍ତବିକ ଓ ବୈଜ୍ଞାନିକ ସମ୍ଭାବନା । ଯାହା ଖୁବଶୀଘ୍ର ସତ ହେବାକୁ ଯାଉଛି । କୋରଡୌରୋ ଓ ବୁଡଙ୍କ ଦାବି ଯେ, ୨୦୪୫ ବେଳକୁ ମଣିଷଙ୍କ ମୃତ୍ୟୁ କେବଳ ଦୁର୍ଘଟଣା କିମ୍ବା ହତ୍ୟା କାରଣରୁ ହେବ ।ପ୍ରାକୃତିକ କିମ୍ବା ରୋଗ କାରଣରୁ ମୃତ୍ୟୁ ଇତିହାସର କଥା ହୋଇ ରହିଯିବ ।

ଏହି ଦୁଇ ଜେନେଟିକ୍ ଇଂଜିନିୟରଙ୍କ କହିବା ହେଉଛି ଅନ୍ୟ ଆନୁବଂଶିକ ବା ଡିଏନଏ ପରିବର୍ତ୍ତନ ଟେକନିକରେ ନାନୋ ଟେକ୍ନୋଲୋଜି ପ୍ରମ୍ମୁଖ । ଏହି ପ୍ରକ୍ରିୟାରେ ଖରାବ ଜିନକୁ ସ୍ୱସ୍ଥ ଜିନ୍ ଦ୍ୱାରା ବଦଳାଯାଇଥାଏ । ଶରୀରରୁ ମୃତ କୋଷିକାଙ୍କୁ ନଷ୍ଟ କରିବା,ନଷ୍ଟ ହୋଇଥିବା କୋଷିକାଙ୍କୁ ଠିକ୍ କରିବା,ଷ୍ଟେମ୍ ସେଲ ଚିକିତ୍ସା ଓ ମହତ୍ୱପୂର୍ଣ୍ଣ ଅଙ୍ଗର ଥ୍ରି-ଡି ପ୍ରିଣ୍ଟ୍ ସାମିଲ ଅଛି । ଆମେରିକାର ମାସାଚୁସେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ କାର୍ଯ୍ୟ କରୁଥିବା କୋରଡୈରୋଙ୍କ କହିବା ହେଉଛି ‘ମାନବ ନମରିବା ପାଇଁ ନିଷ୍ପତ୍ତି ନେଇଛି ଓ ଆଜିଠାରୁ ୩୦ ବର୍ଷ ପରେ ସେ ବର୍ତ୍ତମାନ ଅପେକ୍ଷା ଅଧିକ ଯୁବା ହେବ ।

ଏହି ଦୁଇ ବୈଜ୍ଞାନିକଙ୍କ ଅନୁସାରେ ବୟସ ବୃଦ୍ଧି ଡିଏନଏ ଟେଲ୍ସର ପରିଣାମ,ଯାହାକୁ ଟେଲୋମେରେସ ନାମରେ ଜଣା ଯାଇଥାଏ । ଏହା କ୍ରୋମଜୋମସ ହୋଇଥାଏ । ଏଥିରେ ଲାଲ ରକ୍ତ ଓ ସେକ୍ସ କୋଷିକାଙ୍କୁ ଛାଡି ପ୍ରତି ସେଲର ୨୩ ହଳ ରହିଥାନ୍ତି,ଯାହା ଛୋଟ ହେବାରେ ଲାଗିଥାନ୍ତି । ତେଣୁ ବୟସ ବୃଦ୍ଧିକୁ ରୋକିବା ପାଇଁ ଟେଲୋମେରେସକୁ ଲମ୍ବା କରିବାକୁ ପଡିବ । ସମୟ ସହିତ ଟେଲୋମେରେସ ଦୁର୍ବଳ ହେବା ସହ କ୍ଷତିଗ୍ରସ୍ତ ହୋଇଥାଏ । ଏହାର ଗତି ସେତେବେଳେ ବୃଦ୍ଧି ପାଇଥାଏ ଯେତେବେଳେ ମଣିଷ ଧୂମପାନ,ମଦ ପାନ ସହ ବାୟୁ ପ୍ରଦୁଷଣର ଶିକାର ହୁଏ । ଏଥିପାଇଁ ଟେଲୋମେରେସର ଦୈର୍ଘ୍ୟ କମ ହେବାରେ ଲାଗିଥାଏ ଓ ମଣିଷ ବୃଦ୍ଧ ହୋଇଥାଏ ।

ବୈଜ୍ଞାନିକ ଦ୍ୱୟଙ୍କ ଅନୁସାରେ ଆଗାମୀ ୧୦ ବର୍ଷ ମଧ୍ୟରେ କ୍ୟାନସର ଭଳି ରୋଗ ଠିକ୍ ହୋଇଯିବ । କ୍ୟାନସର ସେଲ୍ ଅମର ବୋଲି ସାଧାରଣ ଲୋକ ଜାଣନ୍ତି ନାହିଁ । ୧୯୫୧ ମସିହାରେ ବୈଜ୍ଞାନିକ ଏହା ଜାଣିବାକୁ ପାଇଥିଲେ । ହେନରିକେଟା ଲେକ୍ସଙ୍କ ମୃତ୍ୟୁ ସର୍ଭାଇକଲ କ୍ୟାନସର କାରଣରୁ ହୋଇଥିଲା । ସର୍ଜନ ତାଙ୍କ ମୃତ୍ୟୁପରେ ଟ୍ୟୁମରକୁ ଶରୀରରୁ ଅଲଗା କରି ରଖିଥିଲେ । ସେହି କ୍ୟାନସର ସେଲ୍ ଆଜି ମଧ୍ୟ ଜୀବିତ ଅଛି ।

ଜାପାନ ଓ କୋରିଆରେ ସନ୍ତାନ ଜନ୍ମହାର ବର୍ତ୍ତମାନ ଯାହା ରହିଛି ଯଦି ଭବିଷ୍ୟତରେ ମଧ୍ୟ ସେଇଆ ରୁହେ ତେବେ ଆଗାମୀ ୨୦୦ ବର୍ଷ ପରେ ଜାପାନ କିମ୍ବା କୋରିଆରେ ଜଣେ ମଧ୍ୟ ବ୍ୟକ୍ତି ବଂଚିବେ ନାହିଁ । ତେବେ ଭଲ ଖବର ହେଉଛି ଏହି ନୂଆ ଟେକ୍ନୋଲୋଜି କାରଣରୁ ଜାପାନୀ କିମ୍ବା କୋରିଆ ନାଗରିକ କେବେ ମଧ୍ୟ ବୃଦ୍ଧ ହେବେ ନାହିଁ ।

ତେବେ ବୁଢା ନହେବାର ଦାମ୍ କେତେ ?

ଏବେ ଆପଣ ଭାବୁଥିବେ ବୁଢା ନହେବାକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ? ଏହି ଦୁଇ ଜେନେଟିକ୍ ଇଂଜିନିୟରଙ୍କ ପାଖରେ ଏହାର ମଧ୍ୟ ଉତ୍ତର ରହିଛି । ସେମାନଙ୍କ ଅନୁସାରେ ଆଣ୍ଟି ଏଜିଂ ଚିକିତ୍ସା ପାଇଁ ସେତିକି ଖର୍ଚ୍ଚ ହେବ ଯେତିକି ଦେଇ ଆପଣ ଏବେ ଗୋଟିଏ ନୂଆ ଲାଟେଷ୍ଟ୍ ସ୍ମାର୍ଟ ଫୋନ୍ କିଣୁଛନ୍ତି । ମାନେ ସ୍ମାର୍ଟ୍ ଫୋନ୍ ଦାମ ଦେଇ ଆପଣ କିଣି ପାରିବେ  ଯୌବନ । ଆରମ୍ଭରେ ଏହି ଟେକ୍ନୋଲୋଜି ମହଙ୍ଗା ପଡିବ କିନ୍ତୁ ପରେ ଏହା ଶସ୍ତା ହେବ । କାରଣ ଯେତେବେଳେ ନୂଆ ଟେକ୍ନୋଲୋଜି ଆସେ ସେତେବେଳେ ତାହା ମହଙ୍ଗା ହୋଇଥାଏ । କିନ୍ତୁ ଅଧିକ ଉତ୍ପାଦନ ସହ ମୁଲ୍ୟ କମିବାରେ ଲାଗିଥାଏ । ଗତ ଦୁଇ ବର୍ଷ ଧରି ସେମାନେ ବେଆଇନ୍ ଭାବେ ଏହି ଟେକନିକ୍ ନିଜ ଉପରେ ପ୍ରୟୋଗ କରୁଥିବା ଦାବି କରିଛନ୍ତି ।

ଏହି ଦୁଇ ଜେନେଟିକ୍ ଇଂଜିନିୟରଙ୍କ ପ୍ରଥମ ରୋଗୀ ହେଉଛନ୍ତି ଏଲିଜାବେଥ୍ ପ୍ୟାରିସ । ପ୍ୟାରିସଙ୍କ ବୟସ ବୃଦ୍ଧି ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କଠାରେ ଏହି ଟେକନିକ୍ ପ୍ରୟୋଗ କରାଯାଇଥିଲା । ବୁଡଙ୍କ ଅନୁସାରେ ଏହି ଚିକିତ୍ସା ବିପଜ୍ଜନକ ଓ ବେଆଇନ୍ ଥିଲା କିନ୍ତୁ ଏବେ ଏଥିରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଉନି । ଏହା ସହ ଏଲିଜାବେଥଙ୍କ ରକ୍ତରେ ଟେଲୋମେରେସ ସ୍ତର ୨୦ ବର୍ଷ ପଛକୁ ଫେରିଯାଇଛି । ମନେରଖନ୍ତୁ ଟେଲୋମେରେସ କମିବା ସହ ବୟସ ବଢିଥାଏ  । ଏଲିଜାବେଥଙ୍କ ଟେଲୋମେରେସ ୨୦ ବର୍ଷ ପଛକୁ ଫେରିବା ଅର୍ଥ ସେ ବୟସବୃଦ୍ଧିକୁ ମାତ୍ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ଦୁଇ ଜେନେଟିକ୍ ଇଂଜିନିୟରଙ୍କ ପୁସ୍ତକ ଡେଥ୍ ଅଫ୍ ଡେଥ୍ ୪ଟି ଭାଷାରେ ପ୍ରକାଶିତ ହେଉଛି ।

Leave a Reply