ସମ୍ପର୍କ ଭାଙ୍ଗିବାରୁ ପେଟ୍ରୋଲ ଢାଳି ମହିଳାଙ୍କ ଘରେ ନିଆଁ ଲଗାଇ ଦେଲା ଯୁବକ

ନନ୍ଦିଘୋଷ ବ୍ୟୁରୋ: ମହିଳାଙ୍କୁ ପ୍ରେମ କଲେ । ସମ୍ପର୍କ ଭାଙ୍ଗି ଯିବା ପରେ ପୂରା ପରିବାରକୁ ଜୀବନରୁ ମାରି ଦେବାକୁ ତାଙ୍କ ଘରେ ନିଆଁ ଲଗାଇ ଦେଲେ । ଘଟଣାରେ ମହିଳାଙ୍କ ସମେତ ତାଙ୍କ ୧୪ ବର୍ଷିୟ ପୁଅ ଓ ଜଣେ ସମ୍ପର୍କୀୟ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ଫେରାର ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି । ଘଟଣା ମଧ୍ୟପ୍ରଦେଶ ଟିକମଗଡ଼ର ବଳଦେବଗଡ଼ରେ ଘଟିଛି ।
ଗତକାଲି ଭୋର ସମୟରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ, ୩୬ ବର୍ଷିୟ ମହିଳା କିଛିମାସ ପୂର୍ବରୁ ବଳଦେବଗଡ଼ରେ ଏକ ଘର ଭଡ଼ା ନେଇ ରହୁଥିଲେ । ଏହାରି ଭିତରେ ରାଜେନ୍ଦ୍ର ନାମକ ଜଣେ ଯୁବକଙ୍କ ସହ ତାଙ୍କର ସମ୍ପର୍କ ଥିଲା । ହେଲେ କିଛି ଦିନ ହେବ ମହିଳା ଜଣଙ୍କ ରାଜେନ୍ଦ୍ରଙ୍କଠାରୁ ଦୂରେଇ ଦୂରେଇ ରହୁଥିଲେ । ଏହି କାରଣରୁ ରାଜେନ୍ଦ୍ର ଘରେ ନିଆଁ ଲଗାଇ ସମସ୍ତଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।
ପୋଲିସ ଅଧିକାରୀ ରାହୁଲ କଟାରେ କହିଛନ୍ତି, ପ୍ରଥମେ ରାଜେନ୍ଦ୍ର ମହିଳାଙ୍କ ଘରେ ଜୋରଜବରଦସ୍ତ ପଶିବାକୁ ଉଦ୍ୟମ କରିଥିଲା । ଏଥିରେ ବିଫଲ ହେବା ପରେ ଝରକା ବାଟେ ଘର ଭିତରକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲା । ମହିଳାଙ୍କ ଦୁଇ ହାତ ସହ ମୁହଁରେ ନିଆଁର ଲାଗି ଯାଇଥିଲା । ସେହିପରି ଘରେ ଥିବା ତାଙ୍କ ପୁଅ ଓ ସମ୍ପର୍କୀୟ ମଧ୍ୟ ନିଆଁରେ ଆହତ ହୋଇଛନ୍ତି ।
ସେ ଆଡୁରି କହିଛନ୍ତି, ଏକ ସପ୍ତାହ ପୂର୍ବରୁ ମହିଳା ଜଣଙ୍କ ରାଜେନ୍ଦ୍ରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ହେଲେ ସେତେବେଳେ ରାଜେନ୍ଦ୍ର ତାଙ୍କୁ ହଇରାଣ କରୁବା ସହ ପିଛା କରୁଛି ବୋଲି କହି ନଥିଲେ । ଏବେ ପୋଲିସ ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଲଗାଇ ମାମଲା ରୁଜୁ କରିଛି । ଘଟଣା ଘଟାଇବା ପରଠାରୁ ଅଭିଯୁକ୍ତ ଫେରାର ଅଛି । ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।