ସ୍ବାଦିଷ୍ଟ ଖାଇବାକୁ ଦେଲାନି ବୋଲି ମାର ତଣ୍ଟି କାଟିଦେଲା ପୁଅ

ମୁମ୍ବାଇ: ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଜଣେ ବ୍ୟକ୍ତି ନିଜ ମା’କୁ ଅତି ନୃଶଂସ ଭାବେ ହତ୍ୟା କରିଛି  । ତାହା ବି କେବଳ ଖାଦ୍ୟ ପାଇଁ  । କ୍ଷଣିକ କ୍ରୋଧ କେତେ ଯେ ଭୟଙ୍କର ହୋଇପାରେ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି  । ଭୋଜନ ସ୍ବାଦିଷ୍ଟ ନ ଲାଗିବାରୁ ପ୍ରଥମେ ମା ସହ ଝଗଡା ଆଉ ପରେ ମାର ତଣ୍ଟି କାଟିଦେଲା ପୁଅ  । ଅତର୍କିତ ଆକ୍ରମଣରେ ରକ୍ତ ଜୁଡୁବୁଡୁ ହୋଇ ପୁଅ ସାମନାରେ ଆଖି ବୁଜିଛି ମା  ।  ପଡୋଶୀ ମାନେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ଅଭିଯୁକ୍ତ ପୁଅ ଗିରଫ ହୋଇଛି  । ମୁରବାଦ ତାଲୁକା ବେଲୁ ଗାଁରେ ରହୁଥିବା ଏହି ମା ପୁଅଙ୍କ ମଧ୍ୟରେ ପ୍ରାୟତଃ ବିବାଦ ଲାଗି ରହୁଥିଲା  ।

ରବିବାର ଦିନ ୫୫ ବର୍ଷୀୟ ମହିଳା ଜଣକ ପୁଅକୁ ଖାଇବାକୁ ଦେଉଥିବା ବେଳେ ସେ ହଠାତ ଉତକ୍ଷିପ୍ତ ହୋଇପଡିଥିଲା  । କାହିଁକି ଖାଇବା ସ୍ବାଦିଷ୍ଟ ହୋଇନାହିଁ ବୋଲି ସେ ପାଟି କରିଥିଲା  । ଏହି ସମୟରେ ପାଖରେ ଥିବା ଏକ ଧାରୁଆ ଅସ୍ତ୍ରରେ ମାର ତଣ୍ଟି କାଟି ଦେଇଥିଲା  । ଆଖି ସାମନାରେ ମା ପ୍ରାଣ ହରାଇବା ପରେ ପୁଅ ଏକାଧିକ ନିଦ ବଟିକା ଖାଇ ଦେଇ ନିଜ ରୁମ୍‌ରେ ଶୋଇ ପଡିଥିଲା  ।

ଅଭିଯୁକ୍ତ ଜଣକ ଦୋଷ ସ୍ବୀକାର କରି କହିଛି ଯେ ତା ମା ନିୟମିତ ଭାବେ ତାକୁ ଟେଷ୍ଟି ଖାଇବାକୁ ଦେଉ ନଥିଲା  । ହତ୍ୟା ଦିନ ବି ସମାନ ଖାଦ୍ୟ ମା ପରଷି ଦେଇଥିଲା  । ଏଥିରେ ଉତକ୍ଷିପ୍ତ ହୋଇ ସେ ମାକୁ ହତ୍ୟା କରିଥିବା ସ୍ବୀକାର କରିଛି  ।