ରାମଙ୍କ ବନବାସଠାରୁ ଦୀର୍ଘ ତାଙ୍କ ଜଙ୍ଗଲବାସର କାହାଣୀ: ପଢ଼ନ୍ତୁ କେମିତି ହଜିଗଲେ ଗଜପତି ଜିଲ୍ଲାର ଜଗପତି

ରାମଙ୍କ ବନବାସ ଠାରୁ ଆହୁରି ଦୀର୍ଘ ତାଙ୍କ ଜଙ୍ଗଲବାସର କାହାଣୀ । ୧୪ ବର୍ଷର ବନବାସ ସମୟରେ ରାମଙ୍କ ସହ ଭାଇ ଏବଂ ପତ୍ନୀ ଥିଲେ । ଏଠି କିନ୍ତୁ ଅରୁଣାଚଳ ପ୍ରଦେଶର ଘଞ୍ଚ ଜଙ୍ଗଲରେ ନିର୍ବାସିତ ଜୀବନ କାଟିଲେଣି ୪୦ବର୍ଷ ଧରି । ମହେନ୍ଦ୍ରଗିରି ପର୍ବତମାଳାରୁ ଅରୁଣାଚଳ ପ୍ରଦେଶର ପଥର ଗୁମ୍ଫା । ଗଜପତି ଜିଲ୍ଲାର ଜଗପତି କେମିତି ହଜିଗଲେ ପରଦେଶରେ ? କାହିଁକି ଫେରିପାରୁନାହାନ୍ତି ନିଜ ଭିଟାମାଟିକୁ । ଏ ତମାମ୍ ଅସମାହିତ ପ୍ରଶ୍ନ ଏବେ ବି ରହସ୍ୟଘେରରେ । ତେବେ ହଜିଲା ମଣିଷକୁ ଜନ୍ମମାଟିକୁ ଫେରାଇ ନେବାକୁ ଏବେ ଅରୁଣାଚଳ ପ୍ରଦେଶରେ ଜଣେ ଶିକ୍ଷକ ସୋସିଆଲ୍ ମିଡିଆର ସାହାରା ନେଇଛନ୍ତି । ଯାହା ଏବେ ଓଡ଼ିଶାରେ ପହଞ୍ଚିଛି ।

ଜୀବନର ସବୁ ଆଶା ଯେବେ ଛାରଖାର୍ ହୋଇଯାଏ । ଜୀବନର ସବୁ ସ୍ୱପ୍ନ ଯେବେ ବିସ୍ମୃତିର ଫରୁଆ ଭିତରକୁ ଚାଲିଯାଏ । ସେବେ ଛାତିକୁ ପଥର କରି ପଥର ଗୁମ୍ଫା ଭିତରେ ବି ବଞ୍ଚିଯିବାକୁ ପଣ କରିଦିଏ ମଣିଷ । ପରିଚୟ ଥାଇ ବି ଅପରିଚିତ ପାଲଟି ଯାଇଥିବା ଏ ବ୍ୟକ୍ତି ହେଲେ ଗଜପତି ଜିଲ୍ଲାର ଜଗପତି ।

ସେଦିନ କାମଧନ୍ଦା ପାଇଁ ଆଦିବାସୀ ରାଇଜ ଛାଡ଼ି ରାଜ୍ୟ ବାହାରକୁ ଗୋଡ଼ କାଢ଼ି ଥିଲେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅବାସିଂ ଗାଁର ଜଗପତି । ଡାକ ନାଁ ଦୟା ଭୂୟାଁ । ହୁଏତ କାହା ଦୟାରେ ବଞ୍ଚିବାକୁ ଚାହୁଁ ନଥିଲେ । ତେଣୁ ପେଟପାଟଣାର ନୂଆ ଠିକଣା ପାଲଟି ଥିଲା ସୁଦୂର ଅରୁଣାଚଳ ପ୍ରଦେଶ ।….ହେଲେ ଭୋକ ସହ ଲଢୁ ଲଢୁ ଭୁଲି ଯାଇଥିଲେ ନିଜ ଇତିହାସକୁ । ଆଉ ଅଟକି ଯାଇଥିଲେ ଅରୁଣାଚଳ ପ୍ରଦେଶରେ । ସହରରୁ ଜଙ୍ଗଲ । ଆଉ ବଣ ମୂଲକର ଏ ପଥର ଗୁମ୍ଫା ପାଲଟି ଯାଇଥିଲା ତାଙ୍କ ଠିକଣା

ହେଲେ ଜଗପତିଙ୍କୁ ବନବାସରୁ ଫେରାଇ ଆଣିବାକୁ ଏବେ ପ୍ରୟାସ ଆରମ୍ଭ କରିଛନ୍ତି ସେ ଅଞ୍ଚଳର ଜଣେ ଶିକ୍ଷକ । ନାଁ ତାଙ୍କର ରୁବୁଆମା । ଜଗପତିଙ୍କୁ ସେ ଅନେକ ବର୍ଷ ହେଲା ଦେଖି ଆସୁଛନ୍ତି । ଆଗରୁ କାମଧନ୍ଦା କରୁଥିଲେ । ହେଲେ ଲକ୍‌ଡାଉନ୍ ପରଠାରୁ ଜଗପତିଙ୍କ ଭୋକ ସହ ଲଢ଼େଇ ଆହୁରି ଗମ୍ଭୀର ହୋଇ ପଡିଛି । ତେଣୁ ଏକ ଭିଡିଓ ସୁଟ୍ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି  ।

ଜଗପତିଙ୍କ ଅବୁଝା ଆଖିରେ ଅନେକ ଭାଷା । ଅସ୍ପଷ୍ଟ ହେଲେ ବି ବୁଝି ହେଉଛି ତାଙ୍କ ଘରର ଠିକଣା । ହୁଏତ ସୋସିଆଲ୍ ମିଡିଆର ଏ ଭିଡିଓ ଏବେ ସୂତ୍ରଧର ସାଜିବ । ୪୦ବର୍ଷର ଅଜ୍ଞାତବାସରୁ ପୁଣି ଘରକୁ ଫେରିବେ ଜଗପତି । କାରଣ ଫେସବୁକ୍‌ରେ ଜଗପତିଙ୍କ କାହାଣୀ ଦେଖି ଏବେ ଆଗେଇ ଆସିଛି ଅରୁଣାଚଳର ପ୍ରଦେଶର ଓଡ଼ିଆ ସମାଜ ।

Leave a Reply