ବହୁଚର୍ଚ୍ଚିତ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ଆଜି ପ୍ରକାଶ ପାଇବ ରାୟ
1 min read
ନନ୍ଦିଘୋଷ ବ୍ୟୁରୋ : ବହୁଚର୍ଚ୍ଚିତ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲା । ଆଜି ରାୟ ପ୍ରକାଶ କରିବେ ମୁମ୍ବାଇର ସ୍ବତନ୍ତ୍ର କୋର୍ଟ । ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର ଓ ପୂର୍ବତନ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତ । ଅଭିଯୁକ୍ତ ଥିବା ୭ ଜଣଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା, ଆତଙ୍କବାଦ ବିରୋଧୀ ଆଇନ, ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ଅନୁସାରେ ମାମଲା ଚାଲୁ ରହିଥିଲା । ୨୦୦୮ ସେପ୍ଟେମ୍ବର ୨୯ରେ ରମଜାନ ବେଳେ ମହାରାଷ୍ଟ୍ର ନାସିକଠାରୁ ୧୦୦ କିଲୋମିଟର ଦୂର ତଥା ପାଓ୍ବାରଲୁମ ଶିଳ୍ପବହୁଳ ମାଲେଗାଓଁରେ ଘଟିଥିଲା ବୋମା ବିସ୍ଫୋରଣ । ମୁସଲିମବହୁଳ ଅଞ୍ଚଳରେ ଘଟିଥିବା ଏହି ବିସ୍ଫୋରଣରେ ପ୍ରାଣ ହରାଇଥିଲେ ୬ ଜଣ, ଆହତ ହୋଇଥିଲେ ୧୦୦ରୁ ଅଧିକ । ଏକ ଏଲଏମଏଲ ଫ୍ରିଡମ ବାଇକରେ ଖଞ୍ଜାଯାଇଥିବା ଆଇଇଡି ବିସ୍ଫୋରଣ ଘଟିଥିଲା । ଏହାର ତଦନ୍ତ କରୁଥିଲା ମହାରାଷ୍ଟ୍ର ଏଟିଏସ । ରମଜାନ ଓ ନବରାତ୍ରୀକୁ ଦୃଷ୍ଟିରେ ରଖିବା ସହ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଗାଡିରେ ଲାଗିଥିବା ନମ୍ବର ପ୍ଲେଟ MH-15-P-4572 ଫେକ୍ ଥିଲା । ତେବେ ଏହି ଗାଡିର ମାଲିକ ପ୍ରଜ୍ଞା ସିଂ ଠାକୁର ଓରଫ ସାଧ୍ବୀ ପୂର୍ଣ୍ଣଚେତନାନ୍ଦ ଗିରିଙ୍କ ମାଲିକାନାରେ ଏହି ଗାଡ଼ିଥିଲା । ୨୦୦୮ ଅକ୍ଟୋବର ୨୩ରେ ପ୍ରଜ୍ଞାଙ୍କୁ ଗିରଫ କରିଥିଲା ଏଟିଏସ । ଏହି ଘଟଣାରେ କର୍ଣ୍ଣେଲ ପୁରୋହିତ, ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଥିଲା । ନଭେମ୍ବର ୨୦୦୮ ରେ ସେମାନଙ୍କ ବିରୋଧରେ ମହାରାଷ୍ଟ୍ର ଅପରାଧିକ ନିୟନ୍ତ୍ରଣ ଆଇନ ବା ମକୋକା ଲାଗୁ କରାଯାଇଥିଲା । ଅଭିନବ ଭାରତ ନାମକ ଏକ ସଂଗଠନ ଜରିଆରେ ସେମାନେ ଏହି କାଣ୍ଡ ଘଟାଇଥିଲେ । ଏହି ମାମଲାର ଚାର୍ଜସିଟ ଦାଖଲ ହୋଇଥିଲା ୨୦୦୯ ଜାନୁଆରୀ ୨୦ରେ । ଏକ ହିନ୍ଦୁରାଷ୍ଟ୍ର ବା ଆର୍ଯ୍ୟାବର୍ତ୍ତ ଗଠନ ଦିଗରେ ସେମାନେ କାମ କରୁଥିବା ସୂଚନା ମିଳିଥିଲା । ଏହାର ଏକ ସ୍ବତନ୍ତ୍ର ସମ୍ବିଧାନ ଓ ପତାକା ବି ପ୍ରସ୍ତୁତ ହୋଇଥିଲା । ଏହି ବିସ୍ଫୋରଣ ଲାଗି ବହୁ ଆଗରୁ ଯୋଜନା ହୋଇଥିଲା ଏବଂ ଫରିଦାବାଦ, ଭୋପାଳ ଓ ନାସିକରେ ବୈଠକ ହୋଇଥିଲା । ଏଥିଲାଗି ପାଣ୍ଠି ଯୋଗାଡିଥିଲେ ପ୍ରଜ୍ଞା । ସେତେବେଳେ ଜାମ୍ମୁ ଓ କାଶ୍ମୀରରେ ଥିବା ପୁରୋହିତଙ୍କ ଜରିଆରେ ଆରଡିଏକ୍ସ ସଂଗ୍ରହ ହୋଇଥିଲା । ସୁଧାକର ଚତୁର୍ବେଦୀ ନାମକ ଜଣେ ବ୍ୟକ୍ତିଙ୍କ ଘରେ ବୋମା ପ୍ରସ୍ତୁତ ହୋଇଥିଲା । ଏହି ବୋମାକୁ ବାଇକରେ ଖଞ୍ଜିଥିଲେ ସୁଧାକର ଓ ରାମଚନ୍ଦ୍ର କଳସଙ୍ଗ୍ରା । ୨୦୧୧ରେ ମାମଲାକୁ ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା ।