ପୋଲିସ ମାଡ଼ରେ ଆହତ ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ଜାମିନ

କଟକ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଅଭିଯୋଗ ଘଟଣା । ମେଜରଙ୍କ ବାନ୍ଧବୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । କାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଜି ମାମଲାର ଶୁଣାଣି କରି ମେଜରଙ୍କ ବାନ୍ଧବୀଙ୍କୁ ଜାମିନ ଦେଇଛନ୍ତି ଉଚ୍ଚ ନ୍ଯାୟାଳୟ । ଥାନାରେ ଗଣ୍ଡଗୋଳ ଅଭିଯୋଗରେ ଯୁବତୀଙ୍କୁ ପୋଲିସ ଗିରଫ କରିଥିଲା ।

ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଦିଆଯିବା ଘଟଣାକୁ ନେଇ ଓଡ଼ିଶା ପୋଲିସ କାଠଗଡ଼ାରେ ଛିଡ଼ା ହୋଇଛି । ଗୋଟିଏ ଘଟଣା ସାରା ରାଜ୍ୟରେ ପୋଲିସ କରିଥିବା ଭଲ କାମକୁ ମଳିନ କରିଦେଇଛି । ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଷ୍ଣ ରହିଛି । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ସମାଲୋଚନା କରିବା ସହ ପୋଲିସ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

କେବଳ ରାଜନୈତିକ ଦଳ ନୁହଁନ୍ତି, ବହୁ ସଙ୍ଗଠନ ଓ ସାଧାରଣ ଜନତା ମଧ୍ୟ ଘଟଣାକୁ ନେଇ ପୋଲିସକୁ ସମାଲୋଚନା କରିଛନ୍ତି । ଘଟଣାକୁ ନେଇ ଅବସରପ୍ରାପ୍ତ ସେନା କର୍ମଚାରୀମାନେ ତାତିଛନ୍ତି । ଭୁବନେଶ୍ବର ପୋଲିସ ସେବା ଭବନ ସମ୍ମୁଖରେ ସେମାନେ ବିକ୍ଷୋଭ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଓ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ।