ନୀରଜଙ୍କ ସହିତ ୧୧ ଜଣଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ

1 min read

ନୂଆଦିଲ୍ଲୀ: ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । କ୍ରୀଡାକ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ । ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ସେହି କ୍ରୀଡାବିତଙ୍କୁ ପ୍ରଦାନ କରାଯାଏ ଯେଉଁ କ୍ରୀଡାବିତ୍ କ୍ରୀଡା କ୍ଷେତ୍ରରେ ଅସାଧାରଣ ପ୍ରଦର୍ଶନ କରିଛନ୍ତି । ୧୯୯୧ ମସିହାରେ ବିଶ୍ୱନାଥ ଆନନ୍ଦଙ୍କୁ ପ୍ରଥମ ଥର ପାଇଁ ଦିଆଯାଇଥିଲା ଏହି ଖେଳରତ୍ନ ପୁରସ୍କାର । ଏହି ପୁରସ୍କାରରେ ଗୋଟିଏ ପଦକ ସହ ୨୫ ଲକ୍ଷ ଟଙ୍କା ମିଳିଥାଏ । ଆଜି ଏହି ପୁରସ୍କାର ଚଳିତ ଟୋକିଓ ଅଲମ୍ପିକ୍ସରେ ଜାଭେଲିନ ଥ୍ରୋ’ରେ ଗୋଲ୍ଡ ମେଡାଲ ଜିତିଥିବା ନୀରଜ ଚୋପ୍ରାଙ୍କ ସହ ୧୧ ଜଣ କ୍ରୀଡାବିତଙ୍କୁ ମିଳିବ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ତେବେ କେଉଁ କ୍ରୀଡାବିତ ଆଜି ପାଇବେ ଖେଳରତ୍ନ ପୁରସ୍କାର ଆସନ୍ତୁ ଜାଣିବା..

ନୀରଜ ଚୋପ୍ରା (ଜାଭେଲିନ୍ ଥ୍ରୋ)

ହରିଆଣାର ନୀରଜ ଚୋପ୍ରା ଚଳିତ ଟୋକିଓ ଅଲମ୍ପିକ୍ସରେ ଟ୍ରାକ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଭାରତ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି । ତେବେ ନୀରଜ ହେଉଛନ୍ତି ପ୍ରଥମ କ୍ରୀଡାବିତ୍ ଯିଏକି ଭାରତ ପାଇଁ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଛନ୍ତି । ସେ ଫାଇନାଲରେ ୮୭.୫୮ ମିଟର ଜାଭେଲିନ ଥ୍ରୋ କରି ସ୍ବର୍ଣ୍ଣ ପଦକ ଜିତିଥିଲେ । ନୀରଜ ଅନ୍ତର୍ଜାତୀୟ ସ୍ତରରେ ୬ଟି ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ପଦକ ଜିତି ସାରିଛନ୍ତି । ସେ ୨୦୧୮ରେ ଜାକାର୍ତ୍ତା ଏସିଆନ ଗେମ୍ସ, ଗୋଲ୍ଡ କୋଷ୍ଟ କମନଓ୍ବେଲ୍ଥ  ଗେମ୍ସ, ୨୦୧୭ ଏସିଆନ ଚମ୍ପିଆନସିପ୍, ୨୦୧୬ ସାଉଥ ଏସିଆନ ଗେମ୍ସ, ୨୦୧୬ ଜୁନିଅର ଓ୍ୱାର୍ଲ୍ଡ ଚମ୍ପିଆନସିପରେ ଗୋଲ୍ଡ ମେଡାଲ ଜିତି ସାରିଛନ୍ତି ନୀରଜ ।

ରବି ଦାହିଆ (କୁସ୍ତି)

ହରିଆଣାରେ ରହୁଥିବା ରବି ଦାହିଆ ଚଳିତ ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ସିଲଭର ମେଡାଲ ଜିତିଥିଲେ । ରବି ସୁଶୀଲ କୁମାରଙ୍କ ପରେ କୁସ୍ତିରେ ଫାଇନାଲରେ ପହଞ୍ଚିଥିଲେ । ତେବେ ଫାଇନାଲରେ ରବି ୫୭ କେଜି କାଟାଗୋରୀରେ ଦୁଇ ଥର ଓ୍ବାର୍ଲ୍ଡ ଚମ୍ପିଆନ ହୋଇଥିବା ଜାବୁର ୟୁଗୁଏବଙ୍କ ନିକଟରୁ ପରାସ୍ତ ହୋଇଥିଲେ । ଏହା ପୂର୍ବରୁ ରବି ୨୦୧୯ ବିଶ୍ୱ ଚମ୍ପିଆନସପରେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । ଏଥିସହ ୨୦୨୦ ଓ ୨୦୨୧ ଏସିଆନ ଚମ୍ପିଆନସିପରେ ସେ ଗୋଲ୍ଡ ମେଡାଲ ନିଜ ନାମରେ କରିଥିଲେ ।

ଲଭଲିନା ବୋରଗେହେନ (ବକ୍ସିଂ)

ଲଭଲିନା ବୋରଗେହେନ ଆସାମର ଗୋଲାଘାଟ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ ଟୋକିଓ ଅଲମ୍ପିକ୍ସରେ  ୬୯ କେଜି ଓଜନ କାଟାଗୋରୀରେ ଭାରତ ପାଇଁ ବ୍ରୋଞ୍ଜ ମେଡାଲ ଜିତିଥିଲେ ଲଭଲିନା । ଲଭଲିନା ବକ୍ସିଂରେ ଭାରତ ପାଇଁ ମେଡାଲ ଜିତିବାରେ ତୃତୀୟ ଓ ମହିଳା ହିସାବରେ ଦ୍ବିତୀୟ ଖେଳାଳି । ଲଭଲିନାଙ୍କ ପୂର୍ବରୁ ୨୦୦୮ରେ ବିଜେନ୍ଦ୍ର ସିଂ ଓ ୨୦୧୨ରେ ମେରୀକମ ମେଡାଲ ଜିତିଥିଲେ । ଲଭଲିନା ୨୦୧୮ ଓ ୨୦୧୯ରେ ହୋଇଥିବା ଓ୍ବାର୍ଲ୍ଡ ବକ୍ସିଂ ଚମ୍ପିଆନସିପରେ ବ୍ରୋଞ୍ଜ ମେଡାଲ ଜିତି ସାରିଛନ୍ତି । ସେହିପରି ଦିଲ୍ଲୀରେ ଆୟୋଜିତ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ସିଲଭର ମେଡାଲ ଜିତିଥିଲେ । ଏହା ବ୍ୟତୀତ ୨୦୧୭ରେ ଏସିଆନ ବକ୍ସିଂ ଚମ୍ପିଆନସିପରେ ବି ବ୍ରୋଞ୍ଜ ମେଡାଲ ଜିତି ସାରିଛନ୍ତି ।

ଅବନୀ ଲେଖରା (ପାରା ସୁଟିଂ)

ଅବନୀ ଲେଖରା ରାଜସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ସିଏ ଟୋକିଓ ପାରାଅଲମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲରେ ଭାରତକୁ ଗୋଲ୍ଡ ମେଡାଲ ଦେଇଥିଲେ । ଫାଇନାଲରେ ସେ ୨୪୯.୬ ପଏଣ୍ଟ ହାସଲ କରିଥିଲେ । ଅବନୀ ଲେଖରା ଦେଶର ପ୍ରଥମ ମହିଳା କ୍ରୀଡାବିତ୍ ଯିଏ ଶୁଟିଂରେ ଅଲମ୍ପିକ୍ସ କିମ୍ବା ପାରା ଅଲମ୍ପିକ୍ସରେ ପଦକ ଜିତିଛନ୍ତି । ଅବନୀ ୯ ବର୍ଷ ପୂର୍ବେ କାର ଦୁର୍ଘଟଣାରେ ଦୁଇ ଗୋଡ ହରାଇ ଥିଲେ । ତେବେ ଏତେ ବଡ଼ ଦୁର୍ଘଟଣା ପରେ ବି ପଛକୁ ଫେରିନଥିଲେ ଅବନୀ । ପାରା ଅଲମ୍ପିକ୍ସରେ ଶୁଟିଂରେ ଗୋଲ୍ଡ ମେଡାଲ ଜିତି ଭାରତକୁ ଗର୍ବିତ କରିଥିଲେ ।

ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ)

ପାରା ଅଲମ୍ପିକ୍ସରେ ବ୍ୟାଡମିଣ୍ଟନରେ ଗୋଲ୍ଡ ମେଡାଲ ଜିତି ଭାରତକୁ ଗର୍ବିତ କରିଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ । ପ୍ରମୋଦ ୨୦୧୯ରେ ଅର୍ଜୁନ ପୁରସ୍କାର ଓ ଓଡିଶା ସରକାରଙ୍କ ତରଫରୁ ବିଜୁ ପଟ୍ଟନାୟକ ପୁରସ୍କାର ବି ମିଳିଛି । ପ୍ରମୋଦଙ୍କ ପାଇଁ ଚଳିତ ବର୍ଷ ଦମଦାର ରହିଥିଲା । ଏପ୍ରିଲରେ ଦୁବାଇରେ ହୋଇଥିବା ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଦୁଇଟି ଗୋଲ୍ଡ ମେଡାଲ ଜିତିଥିଲେ । ସେ ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ମନୋଜ ସରକାରଙ୍କ ସହ ମିଶି ML-4, ML-3 କାଟାଗୋରୀରେ ଗୋଲ୍ଡ ମେଡାଲ ଜିତିଥିଲେ । ପ୍ରମୋଦ ଓ୍ବାର୍ଲ୍ଡ ଚମ୍ପିଆନସିପରେ ଚାରୋଟି ଗୋଲ୍ଡ ମେଡାଲ ସହିତ ୪୫ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଜିତି ସାରିଛନ୍ତି । BWF ଓ୍ବାର୍ଲ୍ଡ ଚମ୍ପିଆନସିପରେ ଗତ ଆଠ ବର୍ଷ ମଧ୍ୟରେ ସେ ଦୁଇଟି ଗୋଲ୍ଡ ମେଡାଲ ସହ ଗୋଟିଏ ସିଲଭର ମେଡାଲ ନିଜ ନାମରେ କରିଛନ୍ତି ପ୍ରମୋଦ ଭଗତ ।

ସୁମିତ ଆଣ୍ଟିଲ (ଜାଭେଲିନ ଥ୍ରୋ)

ହରିଆଣାରେ ଜନ୍ମ ଗ୍ରହଣ କରିଥିବା ସୁମିତ ଆଣ୍ଟିଲ ୨୦୨୧ ଟୋକିଓ ପାରା ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିଲେ । ସୁମିତ ଜାଭେଲିନ ଥ୍ରୋ’ର F64 କାଟାଗୋରୀରେ ବିଶ୍ବ ରେକର୍ଡ କରିବା ସହ ଗୋଲ୍ଡ ମେଡାଲ ଜିତିଥିଲେ । ସେ ଫାଇନାଲରେ ୬୮.୫୫ ମିଟର ଥ୍ରୋ କରିଥିଲେ । ସୁମିତ ୨୦୧୮ରେ ଏସିଆନ ଚମ୍ପିଆନସିପରେ ଭାଗ ନେଇଥିଲେ କିନ୍ତୁ ସେ ପଞ୍ଚମ ସ୍ଥାନରେ ରହିଥିଲେ । ଏହାପରେ ୨୦୧୯ ବିଶ୍ବ ଚମ୍ପିଆନସିପରେ ସେ ସିଲଭର ମେଡାଲ ଜିତିଥିଲେ । ଏହିଠାରେ ଅଟକି ନଥିଲେ ସୁମିତ ସେ ଚଳିତ ବର୍ଷ ନ୍ୟାସନାଲ ଗେମ୍ସରେ ଗୋଲ୍ଡ ମେଡାଲ ଜିତିଥିଲେ । ସେହିପରି ଭାବରେ ୨୦୧୯ରେ ଦୁବାଇରେ ହୋଇଥିବା ବିଶ୍ବ ପାରା ଆଥେଲେଟିକ୍ସ ଚମ୍ପିଆନସିପରେ ସୁମିତ ଆଣ୍ଟିଲ ସିଲଭର ମେଡାଲ ଜିତିବାରେ ସଫଳ ହୋଇଥିଲେ ।

ମନୀଷ ନରଓ୍ବାଲ (ପାରା ଶୁଟିଂ)

ହରିଆଣାର ଫରୀଦାବାଦ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ମନୀଷ । ସେ ଶୁଟିଂରେ ଟୋକିଓ ପାରା ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ନିଜ ନାମରେ କରିଥିଲେ । ସେ ଫାଇନାଲରେ ୨୧୮.୨ ପଏଣ୍ଟ କରି ପ୍ରଥମ ସ୍ଥାନ ଅଧିକାର ହାସଲ କରିଥିଲେ । ମନୀଷ ନରଓ୍ବାଲ ଫୁଟବଲର ହେବା ପାଇଁ ଚାହୁଁଥିଲେ । କିନ୍ତୁ ତାଙ୍କ ପିତାଙ୍କ ସହଯୋଗରେ ଶୁଟିଂରେ ନିଜର କ୍ୟାରୟର କରିଥିଲେ ମନୀଷ । ଫରୀଦାବାଦରେ ନିଜର ଶୁଟିଂର ଅଭ୍ୟାସ କରି ଆଜି ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ହାସଲ କରିଥିଲେ ।

କ୍ରିଷ୍ଣା ନାଗର (ପାରା ବ୍ୟାଡମିଣ୍ଟନ)

ଚଳିତ ଟୋକିଓ ପାରା ଅଲମ୍ପିକ୍ସରେ ବ୍ୟାଡମିଣ୍ଟନରେ ଗୋଲ୍ଡ ମେଡାଲ ଜିତିଥିଲେ କ୍ରିଷ୍ଣା ନାଗର । ଛୋଟବେଳୁ କ୍ରିକେଟର ହେବକୁ ଚାହୁଁଥିଲେ କ୍ରିଷ୍ଣା । କିନ୍ତୁ ଉଚ୍ଚତା କମ୍ ହେତୁ କ୍ରିକେଟ ଖେଳିବା ଛାଡିଥିଲେ କ୍ରିଷ୍ଣା । ଏହାପରେ ଭଲିବଲ ଖେଳିଥିଲେ କ୍ରିଷ୍ଣା । ଭଲିବଲରେ ବି ଭଲ ଡିଫେଣ୍ଡର ହୋଇଥିଲେ । କିନ୍ତୁ ପୁଣି ଥରେ ଉଚ୍ଚତା କାରଣରୁ ଭଳିବଲ ଖେଳିବା ଛାଡିଥିଲେ କ୍ରିଷ୍ଣା । ଏହାପରେ ତାଙ୍କ ପିତା ତାଙ୍କୁ ବ୍ୟାଡମିଣ୍ଟନ ଖେଳିବାକୁ କହିଥିଲେ । ଯାହା ଫଳରେ ସେ ୨୦୧୭ରେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ । ଗତ ଚାରି ବର୍ଷ ମଧ୍ୟରେ ଦମଦାର ପରିଶ୍ରମ କରି ଭାରତ ପାଇଁ ଗୋଲ୍ଡ ମେଡାଲ ଦେଇଥିଲେ ।

ମନପ୍ରୀତ ସିଂ (ହକି)

୪୧ ବର୍ଷ ପରେ ଅଲମ୍ପିକ୍ସରେ ପଦକ ଜିତିବାରେ ସଫଳ ହୋଇଛି ଭାରତୀୟ ହକି ଟିମ୍ । ଚଳିତ ଟୋକିଓ ଅଲମ୍ପିକ୍ସରେ ଭାରତ ବ୍ରୋଞ୍ଜ ମେଡାଲ ଜିତିଥିଲା । ଏହି ଟିମର ଅଧିନାୟକ ମନପ୍ରୀତ ସିଂ ଥିଲେ । ୨୦୨୧ ପୂର୍ବରୁ ଭାରତ ୧୯୮୦ ମସ୍କୋ ଅଲମ୍ପିକ୍ସରେ ପଦକ ଜିତିଥିଲା । ମନପ୍ରୀତ ସିଂ ଟୋକିଓ ଅଲମ୍ପିକ୍ସର ଓପନିଂ ସେରିମନୀରେ ଭାରତର ତ୍ରିରଙ୍ଗା ଧରିଥିଲେ । ଭାରତ ଅଲମ୍ପିକ୍ସରେ ସବୁଠାରୁ ଅଧିକ ପଦକ ହକିରେ ହାସଲ କରିଛି । ଭାରତ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଏବଂ ୧୯୮୦ରେ ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ହାସଲ କରିଥିଲେ । ଏହା ବ୍ୟତୀତ ୧୯୬୦ରେ ସିଲଭର ୧୯୬୮, ୧୯୭୨ ଏବଂ ୨୦୨୧ ମସିହାରେ ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଥିଲା ଟିମ୍ ଇଣ୍ଡିଆ ।

ପିଆର ଶ୍ରୀଜେଶ (ହକି)

ପିଆର ଶ୍ରୀଜେଶ ଭାରତୀୟ ହକି ଟିମର ଗୋଲକିପର ଥିଲେ । ଚଳିତ ଟୋକିଓ ଅଲମ୍ପିକ୍ସରେ ସେ ଏମିତି ଏକ ଅଭେଦ୍ୟ ପାଚିରି ପରି ରହିଥିଲେ ଯାହାକୁ ଭାଙ୍ଗିବା ସବୁ ଟିମ୍ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା । ୨୦୦୪ରେ ଶ୍ରୀଜେଶଙ୍କୁ ଭାରତର ନ୍ୟାସନାଲ ଟିମରେ ସ୍ଥାନ ମିଳିଥିଲା । ୨୦୧୧ରେ ସେ ଭାରତୀୟ ସିନିୟର ଦଳରେ ନିଜ ସ୍ଥାନ ପକ୍କା କରିଥିଲେ । ଏହା ପରେ ସେ ଭାରତୀୟ ହକି ଦଳର ଅଧିନାୟକ ମଧ୍ୟ ଥିଲେ ।

ସୁନୀଲ ଛେତ୍ରୀ (ଫୁଟବଲ)

ତେଲେଙ୍ଗାନାର ସିକନ୍ଦରବାଦରେ ଜନ୍ମ ଗ୍ରହଣ କରିଥିଲେ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ । ଛେତ୍ରୀ ୨୦୦୨ରେ ମୋହନ ବାଗନରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସୁନୀଲ SAIF ଚମ୍ପିଆନସିପ ଫାଇନାଲରେ ନେପାଳ ବିପକ୍ଷରେ ଏକ ବଡ଼ ଉପଲବ୍ଧି ହାସଲ କରିଥିଲେ । ଏହି ମ୍ୟାଚର ୪୯ତମ ମିନିଟରେ ଗୋଲ ସ୍କୋର କରିଥିଲେ ଛେତ୍ରୀ । ଏହି ଗୋଲ ସହିତ ସେ ଆର୍ଜେଣ୍ଟିନାର ମହାନ ଫୁଟବଲର ଲିଓନାଲ ମେସୀଙ୍କ ୮୦ ଅନ୍ତର୍ଜାତୀୟ ଗୋଲର ବରାବର କରିଥିଲେ । ସୁନୀଲ ଛେତ୍ରୀଙ୍କ ଅଧିନାୟକତ୍ବରେ ଭାରତ ଆଠ ଥର SAIF ଚମ୍ପିଆନସିପକୁ ନିଜ ନାମରେ କରିଥିଲେ ।

ମିତାଲି ରାଜ (କ୍ରିକେଟ)

ଭାରତୀୟ ମହିଳା ଦିନିକିଆ କ୍ରିକେଟ ଦଳର ଅଧିନାୟକ ହେଉଛନ୍ତି ମିତାଲି ରାଜ । ସେ କ୍ରିକେଟର ତିନୋଟି ଫର୍ମାଟରେ ୨୦ ହଜାର ପୂରା କରିଛନ୍ତି । ଏହି ରେକର୍ଡ ହାସଲ କରିବାରେ ମିତାଲି ହେଉଛନ୍ତି ବିଶ୍ବର ପ୍ରଥମ ମହିଳା କ୍ରିକେଟର । ୧୯୯୯ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ମିତାଲି ରାଜ୍ । ସେ ଗତ ୨୨ ବର୍ଷ ଧରି ଲଗାତର ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଆସୁଛନ୍ତି । ସେ ୨୦୧୫ରେ ପଦ୍ମଶ୍ରୀ ଓ ୨୦୦୩ରେ ଅର୍ଜୁନ ପୁରସ୍କାର ପାଇଥିଲେ ।

Leave a Reply