ଅମରାବତୀ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ମୁମ୍ବାଇ: ନୁପୁର ଶର୍ମାଙ୍କୁ ସମର୍ଥନ କରି ଆଉ ଜଣେ ବ୍ୟକ୍ତିଙ୍କ ହତ୍ୟା ହୋଇଥିବା ଅଭିଯୋଗ । ମହାରାଷ୍ଟ୍ରର ଏକ ଔଷଧ ଦୋକାନୀଙ୍କୁ ଗତ ୨୧ ତାରିଖରେ ହତ୍ୟା କରାଯାଇଥିଲା । ମହାରାଷ୍ଟ୍ରର ଅମରାବତୀରେ ଫେସବୁକରେ ନୁପୁର ଶର୍ମାଙ୍କୁ ସମର୍ଥନ କରିଥିବା ଉମେଶ କୋହ୍ଲେଙ୍କ ହତ୍ୟା କରାଯାଇଥିଲା  । ତେବେ ଏହି ମାମଲାରେ ୭ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ମାଷ୍ଟର ମାଇଣ୍ଡ ଶେଖ ଇରଫାନ ରହିମ ମଧ୍ୟ ସାମିଲ ଅଛି । ତଦନ୍ତରୁ ଜଣାପଡିଛି ଯେ, ଇରଫାନ ରାୟବର ହେଲପଲାଇନ ନାଁରେ ଏକ ଏନଜିଓ ଚଳାଉଛି । ତାକୁ ଆଜି ନାଗପୁରରୁ ଗିରଫ କରାଯାଇଛି ।

ସେହିପରି ଗିରଫ ଷଷ୍ଠ ଅଭିଯୁକ୍ତ ଡା. ୟୁସୁଫ ଖାନ ଓରଫ ବାହାଦୂରକୁ ୫ ଜୁଲାଇ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି । ଏହି ଦୁଇଜଣଙ୍କୁ ଶନିବାର ଗିରଫ କରାଯାଇଥିଲା । ହତ୍ୟା ଘଟଣା ଦିନ ୨୧ ଜୁନ ରାତି ସାଢେ ୧୦ଟାରେ ପ୍ରଭାତ ପୋଷ୍ଟ ପାଖ ମହିଳା ମହାବିଦ୍ୟାଳୟ ପାଖର ଏକ ସିସିଟିଭି ଫୁଟେଜ ମଧ୍ୟ ଜାରି କରାଯାଇଛି  । ଏଥିରେ ଦୁଇ ଅଭିଯୁକ୍ତଙ୍କୁ ଉମେଶ କୋହ୍ଲେଙ୍କ ପଛରେ ଯାଉଥିବାର ଦେଖାଯାଇଛି । ପରେ ଘଟଣା ଘଟିବା ପରେ ଦୁଇଜଣ ଦୌଡି ଯିବାର ଦେଖାଯାଇଛନ୍ତି  । ସୂଚନାଥାଉକି, ଉଦୟପୁରରେ ଯେଉଁ ଭଳି ଟେଲର କହ୍ନେୟାଲାଲଙ୍କ ନୃସଂଶ ଭାବେ ହତ୍ୟା ହୋଇଥିଲା, ଠିକ ସେହିପରି ହତ୍ୟା ୨୧ ଜୁନରେ ଉଦୟପୁର ଠାରୁ ୭୪୦ କିମି ଦୂର ମହାରାଷ୍ଟ୍ରର ଅମରାବତୀରେ ହୋଇଥିଲା । ଏହି ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ କରୁଛି  ।