ମୁମ୍ବାଇ ଫେରିଲେ ବିଦ୍ରୋହୀ ବିଧାୟକ, ଆସନ୍ତାକାଲି ବାଚସ୍ପତି ନିର୍ବାଚନ

ମୁମ୍ବାଇ: ମହାରାଷ୍ଟ୍ର ଶିବେସନାର ବିଦ୍ରୋହୀ ବିଧାୟକ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ମୁମ୍ବାଇ ଫେରିଛନ୍ତି । ୧୧ ଦିନ ପରେ ସେମାନେ ମୁମ୍ବାଇ ଫେରିଛନ୍ତି । ଉଦ୍ଧବଙ୍କ ସହ ବିଦ୍ରୋହ କରି ପ୍ରଥମେ ଗୁଜୁରାଟର ସୁରଟ ଏବଂ ପରେ ଗୌହ୍ୱାଟି ଓ ଗୋଆରେ ରହିବା ପରେ ଫେରିଛନ୍ତି । ସମସ୍ତ ବିଦ୍ରୋହୀ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ମୁମ୍ବାଇର ତାଜ ପ୍ରେସିଡେନ୍ସିରେ ପହଞ୍ଚିଛନ୍ତି । ଏଠାରେ ବିଜେପି ଏବଂ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ବୈଠକ ହେବ । ସୂଚନା ମୁତାବିକ, ବିଧାୟକମାନେ ତାଜରେ ଗୋଟେ ଦିନ ହିଁ ରହିବେ । ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ବିଧାୟକଙ୍କୁ ଭେଟିବାକୁ ପହଞ୍ଚିଛନ୍ତି ହୋଟଲରେ ପହଞ୍ଚିଛନ୍ତି ।

ରବିବାର ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପାଇଁ ନିର୍ବାଚନ ହେବ । ଶିବସେନାର ରାଜନ ସାଲଭି ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ମହାରାଷ୍ଟ୍ର ବିଧାନସଭାର ଅଧ୍ୟକ୍ଷ ନିର୍ବାଚନ ପାଇଁ ଶିବସେନା ହ୍ୱିପ ଜାରି କରିଛି । ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ଶିବସେନା ବିଧାୟକଙ୍କୁ ୩ ଏବଂ ୪ ଜୁଲାଇରେ ବିଧାନସଭାରେ ଉପସ୍ଥିତ ରହିବା ପାଇଁ କହିଛନ୍ତି । କଂଗ୍ରେସ ଏବଂ ଏନସିପି ମଧ୍ୟ ନିଜ ବିଧାୟକଙ୍କୁ କାଲି ବିଧାନସଭାରେ ଉପସ୍ଥିତ ହେବାକୁ କହିଛନ୍ତି । ଅନ୍ୟପକ୍ଷରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଶିବସେନା ମୁଖିଆ ଉଦ୍ଧବ ଠାକରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଦଳର ନେତା ପଦରୁ ବହିଷ୍କୃତ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳ ଭାଙ୍ଗିବାକୁ ପ୍ରୟାସ କରିବା ଅଭିଯୋଗରେ ଠାକରେ ସିନ୍ଦେଙ୍କୁ ବହିଷ୍କାର କରିଛନ୍ତି ।

ମହାରାଷ୍ଟ୍ରରେ ୧୦ ଦିନ ପର୍ଯ୍ୟନ୍ତ ଚାଲିଥିବା ରାଜନୈତିକ ନାଟକ ପରେ ଗୁରୁବାର ବିଜେପି ସମର୍ଥନରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେହିପରି ବିଜେପିର ଦେବେନ୍ଦ୍ର ଫଡନାବୀସ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଏବଂ ହେବା ପରେ ଏକନାଥ ସିନ୍ଦେ ଲଗାତାର ନିଜ ବୟାନରେ କହୁଛନ୍ତି ଆମେ ହେଉଛୁ ପ୍ରକୃତ ଶିବସେନା, ହିନ୍ଦୁତ୍ୱ ମାର୍ଗରେ ଆମେ ଚାଲୁଛୁ  । ତେବେ ସମସ୍ତେ ଭାବୁଥିଲେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ମହାରାଷ୍ଟ୍ର ସଙ୍କଟ ବନ୍ଦ ହୋଇଯିବ । ହେଲେ ଆଗକୁ ମହାରାଷ୍ଟ୍ର ନାଟକ ଜାରି ରହୁଥିବାର ଆଶଙ୍କା କରାଯାଉଛି । ଯଦି ଶିବସେନାର ହ୍ୱିପ ନମାନି ବିଧାନସଭାରେ ତାଙ୍କ ସପକ୍ଷରେ ଭୋଟ ନଦିଅନ୍ତି ତେବେ ବିଦ୍ରୋହୀ ବିଧାୟକମାନେ ଅଯୋଗ୍ୟ ହୋଇଯିବେ  । ଏପରି ସ୍ଥିତିରେ ଦଳ ଛାଡି ନଥିବା ଦାବି କରୁଥିବା ବିଦ୍ରୋହୀ ବିଧାୟକମାନେ କଣ କରିବେ ତାହା ଆଶା ଆଶଙ୍କାରେ  । ରବିବାର ସ୍ପଷ୍ଟ ହେବ ଏକନାଥ ସୋମବାର ଆସ୍ଥା ଭୋଟରେ ସଫଳ ହେବେ ନାଁ ବିଫଳ ହେବେ  ।