ପ୍ରଫୁଲ ପଟେଲ ଏବଂ ସୁନୀଲ ତଟକରେଙ୍କୁ ଏନସିପିରୁ ବିଦା କଲେ ଶରଦ, ଏପଟେ ଏନସିପି ମହାରାଷ୍ଟ୍ର ଅଧ୍ୟକ୍ଷ ବଦଳାଇଲା ଅଜିତ ଗୋଷ୍ଠୀ

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଘଡ଼ିକେ ଘୋଡ଼ା ଛୁଟୁଛି । ଏନସିପିରେ ବିଦ୍ରୋହ ମଧ୍ୟ ଅଜିତ ପୱାର ନୂଆ ଚାଲ୍ ଖେଳିଛନ୍ତି । ଅଜିତଙ୍କ ଗୋଷ୍ଠୀ ନୂଆ ଏନସିପି ଟିମ୍ ଗଠନ କରିଛି । ବର୍ଷେ ତଳେ ଶିବସେନା ସହ ବିଦ୍ରୋହ କରି ଏକନାଥ ଶିନ୍ଦେ ଯେଉଁ ରଣନୀତି ଆପଣାଇଥିଲେ ସମାନ ରଣନୀତି ଆପଣାଇଛନ୍ତି ଅଜିତ ପୱାର । ଏନସିପି ଦଳ ଉପରେ ଅଧିକାର ଦାବି କରିଛନ୍ତି ଅଜିତ ।

ବିଦ୍ରୋହୀ ଅଜିତ ଗୋଷ୍ଠୀର ସାଂସଦ ପ୍ରଫୁଲ୍ଲ ପଟେଲ କହିଛନ୍ତି ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ ପଦରୁ ଜୟନ୍ତ ପାଟିଲଙ୍କୁ ନିଷ୍କାସିତ କରାଯାଉଛି । ତାଙ୍କ ସ୍ଥାନରେ ସୁନୀଲ ତଟକରେଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଉଛି । ସେହିପରି ବିଧାନସଭାରେ ବିଧାୟକ ଦଳ ନେତା ଭାବେ ଅଜିତ ପୱାରଙ୍କୁ ଚୟନ କରାଯାଇଛି । ସେହିପରି ଅଜତ ପୱାର କହିଛନ୍ତି ମୋ ସମର୍ଥନରେ ସବୁ ବିଧାୟକ ଓ ନେତା ଅଛନ୍ତି । ତେଣୁ ଦଳୀୟ ଚିହ୍ନ ଓ ନାଁ ମଧ୍ୟ ଆମର ଅଧିକାର ।

ଏନେଇ ବିଧାନସଭା ବାଚସ୍ପତିଙ୍କୁ ମଧ୍ୟ ଅବଗତ କରାଯିବ । ସେହିପରି ଅନିଲ ଭାଇଦାସ ପାଟିଲଙ୍କୁ ମହାରାଷ୍ଟ୍ର ବିଧାନସଭାରେ ଏନିସିପିର ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଛି । ସୁନୀଲ ତଟକରେଙ୍କୁ ସଂଗଠନରେ ପରିବର୍ତ୍ତନ କରିବାର ଅଧିକାର ଦିଆଯାଇଥିବା କହିଛନ୍ତି ପ୍ରଫୁଲ୍ଲ । ତେବେ ଏହା ପୂର୍ବରୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ସାଂସଦ ପ୍ରଫୁଲ୍ଲ ପଟେଲ ଏବଂ ଏନସିପି ନେତା ଅନୀଲ ତଟକରେଙ୍କୁ ଦଳରୁ ବିଦା କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇଜଣଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପୱାର ନିଷ୍କାସିତ କରିଥିଲେ ।

ତାଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶରଦ ପୱାରଙ୍କୁ ଚିଠି ଲେଖିଥିଲେ । ତେବେ ଶରଦ ପୱାରଙ୍କ ଏହି ଘୋଷଣାର ଠିକ୍ କିଛି ସମୟ ପରେ ଅଜିତ ପୱାର ମଧ୍ୟ ଏନସିପିର ନୂଆ ଟିମ୍ ବନାଇଛନ୍ତି । ଏହା ପୂର୍ବରୁ ଶରଦ ପୱାର ନେତୃତ୍ୱାଧୀନ ଏନସିପି ଅଜିତ ପୱାରଙ୍କ ସହ ଯାଇଥିବା ସମସ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ପ୍ରସ୍ତାବ ପାରିତ କରିଛନ୍ତି । ଅଜିତ ପୱାରଙ୍କ ଶପଥ ସମାରୋହରେ ଭାଗ ନେଇଥିବା ତିନି ନେତାଙ୍କୁ ମଧ୍ୟ ଦଳରୁ ନିଷ୍କାସନ କରାଯାଇଛି ।

ଏହି ତିନି ନେତାଙ୍କ ମଧ୍ୟରେ ଦଳର କ୍ଷେତ୍ରୀୟ ମହାସଚିବ ଶିବାଜୀ ରାଓ ଗର୍ଜି, ଓକେଲା ଶହର ଜିଲ୍ଲାଅଧ୍ୟକ୍ଷ ବିଜୟ ଦେଶମୁଖ ଏବଂ ମୁମ୍ବାଇ ଡିଭିଜନର କାର୍ଯ୍ୟକାରୀ ଅଧ୍ୟକ୍ଷ ନରେନ୍ଦ୍ର ରାଣେ ସାମିଲ ଅଛନ୍ତି । ଏନସିପିରେ ବିଦ୍ରୋହ ମଧ୍ୟରେ ଶରଦ ପୱାର ସୋମବାର ସାତାରାର କରାଡରେ ନିଜର ରାଜନୈତିକ ଗୁରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ୟଶୱନ୍ତ ରାଓ ଚୌହ୍ୱାଣଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସାତାରାରେ ହୋଇଥିଲା ରାଲିରେ ଶରଦ ପୱାର କହିଛନ୍ତି, ବିଜେପି ସାରା ଦେଶରେ ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାରେ ଲାଗିଛି । ମହାରାଷ୍ଟ୍ରରେ ମଧ୍ୟ ଏପରି ହୋଇଛି । ମହାରାଷ୍ଟ୍ରର ଜନତାଙ୍କୁ ଏକଜୁଟ ହୋଇ ଶକ୍ତି ଦେଖାଇବାକୁ ପଡ଼ିବ ।