ମହାରାଷ୍ଟ୍ର ଥାନେରେ ବଡ଼ ଦୁର୍ଘଟଣା, କ୍ରେନ୍ ଖସି ୧୫ ଶ୍ରମିକ ମୃତ

1 min read

ମୁମ୍ୱାଇ : ମହାରାଷ୍ଟ୍ର ଥାନେ ଜିଲ୍ଲାରେ ହାଇଓ୍ବେ ନିର୍ମାଣ ବେଳେ ବଡ଼ ଦୁର୍ଘଟଣା । ପୋଲ କାର୍ଯ୍ୟ ଚାଲିଥିବା ବେଳେ ଶହେ ଫୁଟ ଉପରୁ ଗ୍ରିଡର ମେସିନ ଖସି ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ମହାରାଷ୍ଟ୍ର ଥାନେ ଜିଲ୍ଲା ଶାହାପୁରରେ । ମହାରାଷ୍ଟ୍ର ରାଜ୍ୟ ସଡ଼କ ନିଗମ ପକ୍ଷରୁ ମୁମ୍ବାଇରୁ ନାଗପୁରକୁ ସଂଯୋଗ କରୁଥିବା ଏହି ୭୦୧ କିମି ଲମ୍ବର ହାଇଓ୍ବେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବଡ଼ ଅଘଟଣ ଘଟିଛି ।

ଏବେ ବି କେତେଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ବିଳମ୍ବିତ ରାତିରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳ ଗ୍ରିଡର ମେସିନ ସହ କ୍ରେନ ଓ ସ୍ଲାବ ଖସିପଡ଼ିଥିଲା। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ NDRF ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସନ୍ଧାନୀ କୁକୁର ସାହାଯ୍ୟରେ ମଧ୍ୟ ଫସି ରହିଥିବା ଲୋକଙ୍କୁ ରେସ୍କ୍ୟୁ ପାଇଁ ଉଦ୍ୟମ ଚାଲିଛି ।

ହସ୍ପିଟାଲରେ ଚିକିତ୍ସାଧୀନ କେତେଜଣଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ପୋଲିସ ସହ ଦମକାଳବାହିନୀ ଓ ଅନ୍ୟ ଉଦ୍ଧାରକାରୀ ଦଳ ରେସ୍କ୍ୟୁ ଓ ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି ।