ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା, ନନ୍ଦିଘୋଷ ରଥ କାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ

ପୁରୀ: ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା । ଗତକାଲି ପବିତ୍ର ହେରା ପଞ୍ଚମୀ ନୀତି ଅବସରରେ ରାଗ ଜର୍ଜରିତ ମା’ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ କରି ଶ୍ରୀମନ୍ଦିରରୁ ଆସିଥିଲେ । ଆସିବା ସମୟରେ ବାଟରେ ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ଲାଗି ହୋଇଥିଲା । ଭକ୍ତ ବିଭୋର ହୋଇଯାଇଥିଲେ ଏହି ଅନନ୍ୟ ନୀତି ବା ମହାଲକ୍ଷ୍ମୀଙ୍କୁ ଦେଖିବା ପାଇଁ । ରଥ ସମ୍ମୁଖରେ ମା’ ପହଞ୍ଚିବା ପରେ ରଥ କାଠ ଭାଙ୍ଗିଥିଲେ । ପରେ ପତି ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା, ଚାମର ଆଲଟ, ଦହି ପଟି ମଣୋହି ଆଦି ସମସ୍ଥ ନୀତିକାନ୍ତି ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା ।

ଏହା ପରେ ମା’ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ସନ୍ଧ୍ୟାଧୂପ ଚାଲୁଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ । ତେବେ ରାଗ ପରବସ ହୋଇ ନାକଚଣା ଦ୍ୱାର ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ ମା’ । ଫେରିବା ବାଟରେ ହେରାଗୋହିରୀ ସାହି ଦେଇ ଫେରିଥିଲେ । ମା ମହାଲକ୍ଷ୍ମୀଙ୍କ ରାଗ ପରବସ ଖବର ମହାପ୍ରଭୁ ପାଇବା ପରେ ଆଜି  ଆଜ୍ଞାମାଳ ବିଜେ ପରେ ରଥକୁ ଦକ୍ଷିଣ ମୋଡ଼ କରାଯିବ । ସକାଳ ଧୂପ ନୀତି ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ ।