ଶିବସେନା ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ମାମଲାର କାଲି ଶୁଣାଣି

ମୁମ୍ୱାଇ: ଆସନ୍ତାକାଲି ଶିବସେନା ବିଧାୟକ ମାମଲାର ଶୁଣାଣି । ସୁପ୍ରିମକୋର୍ଟରେ ହେବ ମାମଲାର ଶୁଣାଣି । ଶିବସେନାର ୫୫ ବିଧାୟକଙ୍କ ମଧ୍ୟରୁ ଉଭୟ ପକ୍ଷରୁ ଦାୟର ହୋଇଥିବା ପିଟିସନରେ ୫୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଆବେଦନ କରାଯାଇଛି । ତେଣେ ଶିବସେନାରେ ବଡ଼ ଧରଣର ପରିବର୍ତ୍ତନ । ଉଗ୍ରମୁଖା ହୋଇଛନ୍ତି ସୁପ୍ରିମୋ ଉଦ୍ଧବ ଠାକରେ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ଅନେକ ବରିଷ୍ଠ ନେତାଙ୍କୁ ପଦଚ୍ୟୁତ କରିଛନ୍ତି ।

ବରିଷ୍ଠ ନେତା ରାମଦାସ କଦମ ଓ ପୂର୍ବତନ ଏମପି ଆନନ୍ଦରାଓ ଅଦସୁଲ ମଧ୍ୟ ବାଦ ପଡ଼ିଛନ୍ତି । ବିଦ୍ରୋହୀ ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କ୍ୟାମ୍ପ ସହ ଲିଙ୍କ୍ ଅଭିଯୋଗ ତଥା ଅନ୍ୟାନ୍ୟ କାରଣରୁ ଏହି ପଦକ୍ଷେପ ନେଇଛନ୍ତି ଉଦ୍ଧବ । ଦିନକୁ ଦିନ ଉଦ୍ଧବ କ୍ୟାମ୍ପରୁ ନେତାମାନେ ସିନ୍ଦେ ଗୋଷ୍ଠୀ ସହ ହାତ ମିଳାଇଥିବାରୁ ଶିବସେନାରେ ସଙ୍କଟ ତୀବ୍ର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ସିନ୍ଦେ ନିଜକୁ ଶିବସେନାର ପ୍ରକୃତ ନେତା ବୋଲି ଦାବି କରୁଥିବା ବେଳେ ଉଦ୍ଧବଙ୍କ ଏହି ପଦକ୍ଷେପ ଅଧିକ ସଂକଟଜନକ ପରିସ୍ଥିତି ସୃଷ୍ଟି କରିଛି । ଆସନ୍ତାକାଲି ଉଭୟ ପକ୍ଷର କେତେକ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ବର୍ତ୍ତମାନ ସୁଦ୍ଧା ଥାନେ, ପାଲଘାଟ, ଅମରାବତୀ ଓ ଯବତମାଲ ଜିଲ୍ଲାରେ ୧୦୦ରୁ ଅଧିକ ନେତାଙ୍କୁ ନିଯୁକ୍ତି ଦେଲେଣି ଉଦ୍ଧବ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ କମିଛି ଲଘୁଚାପ ବର୍ଷା; ୮ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ