ଗଞ୍ଜେଇ ଚାଲଣ ପାଇଁ ମାଫିଆ ଆପଣାଉଛନ୍ତି ନୂଆ ତରିକା, ମାଧ୍ୟମ ଏବେ ନଡ଼ିଆ କତା ବୋଝେଇ ଟ୍ରକ୍

ଭୁବନେଶ୍ୱର: ବିଷ ବଳୟରେ ଭୁବନେଶ୍ୱର । ନିଶା ଚାଲାଣର ଟ୍ରାନଜିଟ ପଏଣ୍ଟ ସାଜିଛି ରାଜଧାନୀ । ଏଠାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି ଦୁର୍ବୃତ୍ତ  । କେତେବେଳେ ପରିବା ଗାଡି ତ ଆଉ କେତେବେଳେ ଗ୍ରୋସରୀ ଗାଡିରେ ଓଡିଶା ଦେଇ ଚାଲାଣ ହେଉଛି ଗଞ୍ଜେଇ। ଏଥର ନଡିଆ କତା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ । ଆନ୍ଧ୍ରପ୍ରଦେଶରୁ  ବିହାର ଭାୟା ଭୁବନେଶ୍ୱର ।

ଖୋର୍ଦ୍ଦା ଗୋଡିପଡ ଟୋଲ ଗେଟରେ ଯାଞ୍ଚ ବେଳେ ମାଡି ବସିଲା ନାର୍କୋଟିକସ କଣ୍ଟ୍ରୋଲ ବ୍ୟୁରୋ । କତା ଭିତରୁ ବାହରି ଥିଲା ବସ୍ତା ବସ୍ତା ଗଞ୍ଜେଇ  । ଟ୍ରକ ଡ୍ରାଇଭର କେ.ଶ୍ରୀନିବାସ ରାଓଙ୍କୁ ଗିରଫ କରିଛି ଏନସିବି । ୭୦୦ କେଜି ଗଞ୍ଜେଇ ଓ ଗୋଟିଏ ଟ୍ରକ ଜବତ କରାଯାଇଛି  । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ଯ ୭୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛି ପୋଲିସ  ।

ସେହିଭଳି ଭୁବନେଶ୍ୱର ଉପକଣ୍ଠ ପାହଳ ଅଞ୍ଚଳରେ ଧଳାଜହର କାରବାରର ପର୍ଦ୍ଦାଫାସ । ଆପାର୍ଟମେଣ୍ଟ ନିକଟରୁ ୩୨୦ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ୟୁଏଟି ଓ  ପାହଳ  ଫାଣ୍ଡି ପୋଲିସ  । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି  । ଜବତ ବ୍ରାଉନସୁଗରର ମୁଲ୍ୟ ୩୦ ଲକ୍ଷ ଟଙ୍କା ଉର୍ଦ୍ଧ୍ୱ ହେବ । ଜଳେଶ୍ୱରର ସେକ. ସଫିରୁଦ୍ଦିନ ଓ ସେକ୍. ରାଜା ଏବଂ ବାଲିଅନ୍ତା ଜଗନ୍ନାଥ ପୁରର ବାପି ନାୟକକୁ ଗିରଫ କରିଛି ପୋଲିସ।

ସେମାନଙ୍କ ଠାରୁ ୨ଟି ବାଇକ, ୩ଟି ମୋବାଇଲ ଓ ନଗଦ ୫୫ ହଜାର ଟଙ୍କା ଜବତ ମଧ୍ୟ କରାଯାଇଛି  । ଦିନକୁ ଦିନ ରାଜ୍ୟରେ ବଢି ଚାଲିଥିବା ନିଶା କାରବାର ଏବେ ଓଡ଼ିଶା ପୋଲିସ ସହ ଏନସିବିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Leave a Reply