ବାପାଙ୍କ ନାଁରେ ପରିଚୟ ସୃଷ୍ଟି କରିବାକୁ ଚାହାଁନ୍ତିନି ମାଧବନଙ୍କ ପୁଅ ବେଦାନ୍ତ

ମୁମ୍ବାଇ:  ଏବେ ଖୁବ୍‌ ଚର୍ଚ୍ଚାରେ ଆର୍‌ ମାଧବନଙ୍କ ପୁଅ ବେଦାନ୍ତ । ସେ ଡେନିସ ଓପନରେ ମେଲ ୮୦୦ ମିଟର ଫ୍ରି ଷ୍ଟାଇଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ସେ ୧୫ଶହ ମିଟର ଫ୍ରିଷ୍ଟାଇଲରେ ରୌପ୍ୟ ପଦକ ଜିତିଥିଲେ । ତେବେ ସଫଳତାର ଶୀଖରକୁ ଛୁଇଁବା ପାଇଁ ତାଙ୍କ ବାପା ମା’ ଖୁବ୍‌ ପରିଶ୍ରମ କରିଥିବା ସେ କହିଛନ୍ତି । ଏହା ସହିତ ସେ କହିଛନ୍ତିଯେ, ତାଙ୍କ ବାପାଙ୍କ ନାଁ’ରେ ସେ ପରିଚୟ ସୃଷ୍ଟି କରିବାକୁ ଚାହାଁନ୍ତି ନାହିଁ ।

ଗଣମାଧ୍ୟମର ଏକ ସାକ୍ଷାତକାରରେ ବାଦାନ୍ତ କହିଛନ୍ତିଯେ, ବାପାଙ୍କ ପରିଚୟରେ ନୁହେଁ ବରଂ ସେ ନିଜେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହାଁନ୍ତି । ତେବେ ବେଦାନ୍ତଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ତାଙ୍କ ପରିବାର ଦୁବାଇ ସିଫ୍ଟ ହୋଇଥିବା ସେ କହିଛନ୍ତି ।  କାରଣ ମାଧବନ୍‌ ଚାହୁଁଥିଲେ ସବୁଠାରୁ ବଡ଼ ଖେଳରେ ତାଙ୍କୁ ସବୁଠାରୁ ଅଧିକ ସୁବିଧା ମିଳୁ ।

ବେଦାନ୍ତ ଅକ୍ଟୋବରରେ ଜୁନିଅର ନ୍ୟାସନାଲ ଆକ୍ୱାଟିକ୍‌ ଚାମ୍ପିଅନସିପରେ ମହାରାଷ୍ଟ୍ର ପାଇଁ ସମୂଳ ୭ଟି ପଦକ ଜିତିଥିଲେ । ସେ ବାଙ୍ଗାଲୁରୁର ବସବନଗୁଡ଼ି ଆକ୍ୱାଟିକ୍‌ ସେଣ୍ଟରରେ ଆୟୋଜିତ ସନ୍ତରଣ ପ୍ରତିଯୋଗିତାରେ ୪ଟି ରୌପ୍ୟ ପଦକ ଏବଂ ୩ଟି ବ୍ରୋଞ୍ଜ୍‌ ଜିତିଥିଲେ । ଏଥିପାଇଁ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ବେଦାନ୍ତ ଏବଂ ମାଧବନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ସେଲିବ୍ରିଟିଙ୍କ ମଧ୍ୟରେ ପ୍ରଥମ ବିପାଶା ବାସୁ ତାଙ୍କୁ ଶୁଭକାମନା ଜଣାଇଥିଲେ ।