ଅବ୍ୟବସ୍ଥା ଘେରରେ ରେକର୍ଡ ରୁମ: ଜେରକ୍ସ ଓ ପ୍ରିଣ୍ଟର ମେଶିନ ଅଚଳ, ଲୋକଙ୍କୁ ଲାଞ୍ଚ ମଗାଯାଉଥିବାର ଅଭିଯୋଗ

1 min read

ଜଗତସିଂହପୁର: ଜଗତସିଂହରରେ ଅବ୍ୟବସ୍ଥା ଘେରରେ ରେକର୍ଡ ରୁମ । ରେକର୍ଡ ରୁମ ଅଛି ଅଥଚ ମିଳୁନାହିଁ ରେକର୍ଡ । ଜେରକ୍ସ ଏବଂ ପ୍ରିଣ୍ଟର ମେସିନ ଅଚଳ ହୋଇପଡିଛି । କେଉଁଠି ଥାକରେ ତ କେଉଁଠି ଏଣେ ତେଣେ ରେକର୍ଡ ପତ୍ର ସବୁ ପଡିଛି । ହାଲ ଓ ସାବକ ପଟ୍ଟା ପାଇଁ ଆବେଦନ କରି ଦୌଡିଦୌଡି ନୟାନ୍ତ ହେଲେଣି ଲୋକେ । ଖାଲି ଏତିକି ନୁହେଁ ଲୋକଙ୍କୁ ପଟ୍ଟା ଦେବା ପାଇଁ କର୍ମଚାରୀ ମାନେ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି ।

ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କିପରି ତଳେ ଖେଳା ହେଇକି ପଡିଛି ଫାଇଲପତ୍ର । ଅଧା ଥାକରେ ଥୁଆ ହୋଇଛି । ଏ କୌଣସି ଅଦରକାରୀ କାଗଜପତ୍ର ନୁହେଁ ଏ ହେଉଛି ଜନସାଧାରଣଙ୍କ ପଟ୍ଟା ରେକର୍ଡ ପତ୍ର । ହେଲେ ଏଥିପ୍ରତି କୌଣସି ଅଧିକାରୀଙ୍କ ଦାୟିତ୍ଵ ନଥିଲା ପରି ମନେ ହେଉଛି । ଏ ହେଉଛି ଜଗତସିଂହପୁର ଜିଲ୍ଲା ଜିଲ୍ଲାପାଳଙ୍କ ଅଫିସ ପରିସରରେ ଥିବା ରେକର୍ଡ ରୁମର ଦୃଶ୍ୟ । ଏଠାରେ ଜଗତସିଂହପୁର, ବାଲିକୁଦା, ନାଉଗାଁ, ବିରିଡି, ରଘୁନାଥପୁର, ତିର୍ତ୍ତୋଲ, ଏରସମା ଓ କୁଜଙ୍ଗ ତହସିଲ ଅଞ୍ଚଳର ସମସ୍ତ ଲୋକଙ୍କ ପଟ୍ଟା ବା ସମସ୍ତ ରେକର୍ଡ ପତ୍ର ରଖାଯାଇଛି । ହେଲେ ସେ କାଗଜପତ୍ରର ଠିକ ସେ ରକ୍ଷଣାବେକ୍ଷଣା ହେଉନଥିବାରୁ ଲୋକ ମାନେ ଠିକ ସମୟରେ ହାଲ ଓ ସାବକ ପଟ୍ଟା ପାଇପାରୁନାହିଁନ୍ତି ।

ଖାଲି ଏତିକି ନୁହେଁ ଲୋକଙ୍କୁ ପଟ୍ଟା ଦେବା ପାଇଁ କର୍ମଚାରୀ ମାନେ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି । ସିସିଟିଭି କ୍ୟାମେରା ବାହାରେ ଆସି ସେମାନଙ୍କ ଠାରୁ ପଇସା ନେଇ ଆଜି ଆସ କାଲି ଆସ କହୁଛନ୍ତି । ଦୂରଦୂରାନ୍ତରୁ ଆସୁଥିବା ଆବେଦନକାରୀଙ୍କ ପାଇଁ ବସିବା ପାଇଁ ସୁବିଧା ନଥିବାରୁ ସେମାନେ ଫାଟକ ଆଗରେ ଠିଆ ହୋଇ ଫେରି ଯାଉଛନ୍ତି । ଯାହାକୁ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖାଦେଲାଣି। ସେପଟେ କ୍ୟାମେରା ଦେଖି ଅଫିସ ଭିତରେ ଥିବା କର୍ମଚାରୀ ହଡ଼ ବଡ଼ ହୋଇ ଯାଇଥିଲେ । ଫଟୋ ଉଠାନ୍ତୁ ନାହିଁ ବୋଲି କହିଥିଲେ । ଘଟଣା ସଂପର୍କରେ କିଛି ବି କହି ନଥିଲେ । ଏଠି ପ୍ରଶ୍ନ ଉଠୁଛି- କେତେ ଦିନ ଏମିତି ହଇରାଣ ହେବେ ଜଗତସିଂହପୁର ଜିଲ୍ଲାବାସୀ ? କେବେ ମିଳିବ ଆବେଦନକାରୀଙ୍କୁ ଠିକ ସମୟରେ ପଟ୍ଟା ? କେବେ ରେକର୍ଡ ରୁମ ପ୍ରତି ଦୃଷ୍ଟି ଦେବେ ରାଜ୍ୟ ସରକାର ? ତାକୁ ହିଁ ଅପେକ୍ଷା ।

ନଜର ପକାନ୍ତୁ