ମାଆ ବାୟାଣୀଙ୍କ ପୀଠରେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ

ଅନୁଗୁଳ: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ । ଅନୁଗୋଳ ଛେଣ୍ଡିପଦା ପାତ୍ରପଡାଠାରେ ଥିବା ମାଆ ବାୟାଣୀଙ୍କ ପୀଠରେ ଲୋକଙ୍କ ଗହଳି । ନଦୀ ଏବଂ ପ୍ରାକୃତିକ ପରିବେଷରେ ବଣଭୋଜିର ମଜା ନେବାକୁ ପହଞ୍ଚୁଛନ୍ତି ଲୋକ । ଜମୁଛି ନାଚ ଗୀତର ଆସର ।

ପର୍ଯ୍ୟଟନ ଋତୁରେ ପ୍ରକୃତିକୁ ଉପଭୋଗ କରିବାକୁ ପହଞ୍ଚୁଛନ୍ତି ପର୍ଯ୍ୟଟକ। ଅନୁଗୋଳ ଛେଣ୍ଡିପଦା ବ୍ଲକ୍ର ପାତ୍ରପଡା ମାଆ ବାୟାଣୀଙ୍କ ପୀଠରେ ଭିଡ । କିଏ ମାଆ ବାୟାଣୀଙ୍କ ପୂଜାର୍ଚ୍ଚନା କରି ମାନସିକ ପୂରଣ କରୁଛି ତ ଆଉ କିଏ ପାହାଡ଼, ଜଙ୍ଗଲିଆ ପରିବେଶରୁ ମଜା ଉଠାଇ ଭୋଜିଭାତ କରୁଛନ୍ତି। ଅନେକେ ପର୍ଯ୍ୟଟକ ଚିରସ୍ରୋତା ମାଦେଳିଆ ଯୋର ଓ ଝରଣା ଦେଖି ପୁଲକିତ ହେଉଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ପିଲାଙ୍କ ମନୋରଂଜନ ପାଇଁ ମଧ୍ୟ ଦୋଳି ରହିଛି । ଫୁଲ ବଗିଚା ସାଙ୍ଗକୁ ଭିନ୍ନ ଭିନ୍ନ ଆକୃତିର ପଶୁ ପକ୍ଷୀଙ୍କ ମୂର୍ତ୍ତି ପିଲାଙ୍କୁ କରୁଛି ଆକର୍ଷିତ।

ପାତ୍ରପଡା ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ସରକାର ୧୯୯୮ମସିହାରେ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଥିଲେ। ପର୍ଯ୍ୟଟନସ୍ଥଳୀର ଉନ୍ନତିମୁଳକ କାର୍ଯ୍ୟରେ ଗ୍ରାମ୍ୟ କମିଟିର ଭୂମିକା ମଧ୍ୟ ରହିଛି । ଭୋଜି ପାଇଁ ବହୁଳ ଭାବରେ ଭିଡ ଲାଗିଥିବାରୁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଛେଣ୍ଡିପଦା ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଉଛି  । କ୍ଳବ୍ ଓ ଯୁବକ ସଂଘ ସଦସ୍ୟ ମାନେ ଭିଡ ସମୟରେ ପୀଠ ସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପ୍ରସ୍ତୁତ ରହିଛନ୍ତି। ଏଥିପାଇଁ ଭୋଜି କିମ୍ବା ବୁଲିବାକୁ ଆସୁଥିବା ଲୋକେ ସୁରକ୍ଷିତର ସହ ବୁଲାବୁଲି କରି ଫେରୁଛନ୍ତି।