ନିଶାର୍କ ଶନି ମନ୍ଦିରରୁ ଚୋରି, ସବୁ ଲୁଟିନେଲେ..

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଅଞ୍ଚଳରେ ମାତିଛନ୍ତି ମନ୍ଦିର ଚୋର। ମନ୍ଦିରକୁ ରାତିରେ ଟାର୍ଗେଟ କରି କଳାକନା ବୁଲାଉଛନ୍ତି । ଗତ ରାତିରେ ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତର ବାଣପୁର ନିଶାର୍କ ଶନି ମନ୍ଦିରରୁ ଚୋରି । ବିଳମ୍ବିତ ରାତ୍ରିର ମନ୍ଦିର ଛୋଟ ଗେଟ ତାଲା ଭାଙ୍ଗି ଶନି ଓ ପାର୍ଶ୍ଵ ବିଗ୍ରହରୁ ସୁନା ଚିତା, ରୂପା ମୁକୁଟ ଓ ଦାନ ହୁଣ୍ଡି ବାକ୍ସ ନେଇ ପଳାଇଛନ୍ତି ଦୁର୍ବୃତ୍ତ । ସକାଳେ ପୂଜକଙ୍କ ପତ୍ନୀ ମନ୍ଦିର ଖୋଲିବା ବେଳେ ଦେଖିଲେ ଗେଟ ମୁକୁଳା ଅଛି । ଏହା ପରେ ପୂଜକ ଓ ମନ୍ଦିର କମିଟିର ସଭ୍ୟ ସେଠାରେ ପହଞ୍ଚିଛନ୍ତି । ପୋଲିସରେ ଅଭିଯୋଗ କରାଯାଇଛି। ଏହା ଆଗରୁ ଗତ ୫ ତାରିଖରେ ବାସୁଦେବପୁର ଦକ୍ଷିଣେଶ୍ଵରୀ କାଳୀ ମନ୍ଦିରରୁ ସୁନା ଓ ରୂପାର ଅଳଙ୍କାର ଚୋରି ହୋଇଥିଲା । ସେହିପରି ମାର୍ଚ୍ଚରେ ବଂଶୀପାଟଣାର ହନୁମାନ ବାଟିକାର ରଘୁନାଥ ମନ୍ଦିରର ହୁଣ୍ଡି ବାକ୍ସ  ଓ ବଜରଙ୍ଗବଲିଙ୍କ ମନ୍ଦିରର ହୁଣ୍ଡି ବାକ୍ସ ଚୋରି ନେଇ ଥିଲେ ଦୁର୍ବୃତ୍ତ। ସେହିପରି ଭୈରବପୁର ଗାଁର ଲକ୍ଷ୍ମୀ ନାରାୟଣ ମନ୍ଦିରରୁ ମଧ୍ୟ କିଛି ଦିନ ତଳେ ଚୋରି ହୋଇଛି। ସେହିପରି ହନୁମାନ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ମୁକୁଟ ଓ ଅଳଙ୍କାର ବି ନେଇଥିଲେ ଦୁର୍ବୃତ୍ତ। ବାସୁଦେବପୁର ଥାନାର ଲିଖିତ ଅଭିଯୋଗ ସତ୍ତ୍ଵେ ପୋଲିସ ଏଯାଏ ଚୋରଙ୍କ ଟେର୍ ପାଇନାହିଁ।