ସଂସଦରେ ଜାରି ରହିଛି ହଟ୍ଟଗୋଳ; ପୁଣି ଗୃହ ମୁଲତବି

1 min read

ନୂଆଦିଲ୍ଲୀ: ଆରମ୍ଭରୁ ସଂସଦରେ ପ୍ରବଳ ହଟ୍ଟଗୋଳ । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ରୀମାନଙ୍କୁ ପରିଚିତ କରାଉଥିବାବେଳେ ହୋହାଲ୍ଲା କରିଛନ୍ତି ବିରୋଧୀ। ସ୍ଥିତି ଏପରି ହୋଇଥିଲା ଯେ ପ୍ରଧାନମନ୍ତ୍ରୀ କିଛି କହିବାକୁ ସୁଯୋଗ ପାଇ ନଥିଲେ । ଫଳରେ ଗୃହକୁ ଅପରାହ୍ଣ ସାଢେ ୩ଟା ଯାଏଁ ମୁଲତବୀ ଘୋଷଣା କରିଦିଆଯାଇଥିଲା ।

ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ମନ୍ତ୍ରିମଣ୍ଡଳକୁ ନେଇ କିଛି ସାଂସଦ ଅସୁଖୀ ଅଛନ୍ତି । ସେପଟେ ରାଜ୍ୟସଭାରେ ପରଲୋକଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଏକ ଘଣ୍ଟା ଲାଗି ଗୃହକୁ ମୁଲତବୀ ରଖାଯାଇଥିଲା । ତେବେ ବିଭିନ୍ନ ପ୍ରସଙ୍ଗରେ ସାଂସଦମାନେ ହଟ୍ଟଗୋଳ କରିବା ପରେ ରାଜ୍ୟସଭାକୁ ବି ଅପରାହ୍ଣ ୩ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ସେପଟେ ନେତା, ମନ୍ତ୍ରୀ, ବିଚାରପତି ଓ ସାମ୍ବାଦିକଙ୍କ ଫୋନ ନମ୍ବର ହ୍ୟାକ ପ୍ରସଙ୍ଗରେ କମ୍ପିବ ଗୃହ ।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଦେଶର ଜାତୀୟ ନିରାପତ୍ତା ବିପନ୍ନ ହୋଇଛି । ଏହି ପ୍ରସଙ୍ଗ ସେ ଗୃହରେ ଉଠାଇବେ । ସେହିପରି ପେଟ୍ରୋଲ ଦର ବୃଦ୍ଧି, କଡା କୃଷିଆଇନ, ଟିକାକରଣ, ଅର୍ଥନୈତିକ ଅଭିବୃଦ୍ଧି ଆଦି ପ୍ରସଙ୍ଗ ଉଠାଇବ ତୃଣମୂଳ କଂଗ୍ରେସ । ପ୍ରାୟ ସମସ୍ତ ବାମପନ୍ଥୀ ଦଳ ବି ଫୋନ ହ୍ୟାକିଂ, କୃଷି ଆଇନ, ଦରବୃଦ୍ଧି ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ । ଗତକାଲି ପ୍ରଧାନମନ୍ତ୍ରୀ କହିଥିଲେ- କୌଣସି ବିତର୍କକୁ ସମ୍ମୁଖୀନ କରିବା ଲାଗି ସରକାର ପ୍ରସ୍ତୁତ । ସଂସଦରେ ୩୮ଟି ପ୍ରସ୍ତାବ ପଡ଼ିରହିଥିବା ବେଳେ ଏଥିରୁ ୯ଟି ପାରିତ କରିବାକୁ ସରକାର ଯୋଜନା କରିଛନ୍ତି ।

 

Leave a Reply